
ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ୱର : ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ନୂତନ ଲାଇନର ନିର୍ମାଣାଧୀନ ସୋନପୁର-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କରିଛନ୍ତି । ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ନିର୍ମାଣ ଅଧିକାରୀ ଏବଂ ସମ୍ବଲପୁର ରେଳ ମଣ୍ଡଳର ଅଧିକାରୀମାନେ ଏହି ନିରୀକ୍ଷଣ ସମୟରେ ମହାପ୍ରବନ୍ଧକଙ୍କୁ ସହଯୋଗ କରିଥିଲେ । ଶ୍ରୀ ଫୁଙ୍କୱାଲଙ୍କ ଏହି ଗସ୍ତ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ଏବଂ ଲକ୍ଷ୍ୟ ଧାର୍ଯ୍ୟ ସମୟସୀମା ପାଳନ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଇଥିଲା । ଶ୍ରୀ ଫୁଙ୍କୱାଲ ସମୟାନୁସାରେ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅଧିକାରୀମାନଙ୍କୁ ବିଚାରାଧୀନ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା, ଗୁଣବତ୍ତା ଏବଂ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ପାଇଁ ଉପଦେଶ କରିଥିଲେ । ସେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପାଦାନଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲେ ଏବଂ ସମୟସୀମାରେ ସମାପ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ପାଇଁ ପରାମର୍ଶ ଦେଇଥିଲେ । ସୋନପୁର-ପୁରୁଣାକଟକ ସେକ୍ସନ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି ଏବଂ ଆଶା କରାଯାଉଛି ଏହା ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ସଂଯୋଗୀକରଣ ଏବଂ ଆର୍ଥିକ ଅଭିବୃଦ୍ଧି ସମ୍ଭାବନାକୁ ଆହୁରି ଉନ୍ନତ କରିବ । ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା କଡ଼ା ତଦାରଖ କରାଯାଇଥିବା ଏହି ପ୍ରମୁଖ ପ୍ରକଳ୍ପ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ପାଇଁ ଏକ ଜୀବନରେଖା । ମୋଟ ୩୦୧ କିଲୋମିଟର ଦୈର୍ଘ୍ୟ ରେଳପଥ ମଧ୍ୟରୁ ୨୨୬ କିଲୋମିଟର କାର୍ଯ୍ୟକ୍ଷମ ହୋଇସାରିଛି । ଏଥିରେ ଖୋର୍ଦ୍ଧା ରୋଡ୍ ରୁ ଦଶପଲ୍ଲା – ୧୦୬ କିଲୋମିଟର ଏବଂ ବଲାଙ୍ଗିରରୁ ପୁରୁଣାକଟକ – ୧୨୦ କିଲୋମିଟର ଅନ୍ତର୍ଭୁକ୍ତ । ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବଶିଷ୍ଟ ୭୫ କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ସକ୍ରିୟ ନିର୍ମାଣାଧୀନ ଅଛି ଏବଂ ଡିସେମ୍ବର ୨୦୨୬ ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି । ଏହି ରେଳ ମାର୍ଗ ବିଶେଷ ଭାବରେ ଚ୍ୟାଲେଞ୍ଜିଂଅଟେ ଯାହା ସଂରକ୍ଷିତ ଜଙ୍ଗଲ, ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ପାହାଡିଆ ଅଞ୍ଚଳ ଦେଇ ଗତି କରୁଛି । ଏହି ଅଞ୍ଚଳର ପରିବେଶଗତ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ପୂର୍ବତଟ ରେଳପଥ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଛି :
- ୭ ଟି ସୁଡ଼ଙ୍ଗ (ମୋଟ ୧୨.୭ କିଲୋମିଟର) ଯେଉଁଥିରେ ସବୁଠାରୁ ଲମ୍ବା ୪.୧୮ କିଲୋମିଟର ଅନ୍ତର୍ଭୁକ୍ତ
- ଉଭୟ ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବିଚରଣ ସହ ଟ୍ରେନ ଚଳାଚଳ ପାଇଁ ଭାୟାଡକ୍ଟ ନିର୍ମାଣ ।
- ଜଙ୍ଗଲ କ୍ଷୟକୁ ହ୍ରାସ କରିବା ଏବଂ ପ୍ରାୟ ୨ ଲକ୍ଷ ଗଛକୁ ବଞ୍ଚାଇବା ପାଇଁ ଏକ ପରିବେଶ-ସମ୍ବେଦନଶୀଳ ଡିଜାଇନ୍ ।
ପ୍ରକଳ୍ପର ଏକ ପ୍ରମୁଖ ଇଞ୍ଜିନିୟରିଂ ବିଶେଷତ୍ୱ ହେଉଛି ୪.୭୭ କିଲୋମିଟର ଲମ୍ବା ଭାୟାଡକ୍ଟ ଯାହା ପ୍ରସ୍ତାବିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାର ନିକଟରେ ନିର୍ମାଣ କରାଯାଉଛି । ଏହି ରେଳ ମାର୍ଗ ସମାପ୍ତ ହେବା ପରେ ଏହା ଆସାମର ବୋଗିବିଲ ସେତୁ ପରେ ଭାରତର ଦ୍ୱିତୀୟ ଦୀର୍ଘତମ ରେଳ ସେତୁ ହେବ । ସ୍ଥାୟୀ ବିକାଶ ଏବଂ ଯାତ୍ରୀ-କୈନ୍ଦ୍ରିକ ଭିତ୍ତିଭୂମି ଉପରେ ଧ୍ୟାନ ଦେଇ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ପ୍ରକଳ୍ପ ପରିବେଶ-ଅନୁକୂଳ ରେଳ ନିର୍ମାଣରେ ନୂତନ ମାନଦଣ୍ଡ ସ୍ଥାପନ କରିବା ସହିତ ଓଡ଼ିଶାରେ ସଂଯୋଗକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ।