
ଭବାନୀପାଟଣା : କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍ ଅଫିସର ଧୀମାନ ଚକ୍ମା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍ମା ରବିବାର ଭିଜିଲାନ୍ସ ପଞ୍ଝାରେ ପଡ଼ିବା ପରେ ତାଙ୍କ ଦୁର୍ନୀତିର ଚିଠା ଖୋଲିଛି । ତାଙ୍କ ସରକାରୀ ବାସଭବନରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ କରାଯିବା ପରେ ସୋମବାର ଧୀମାନ ଚକ୍ମାଙ୍କୁ ଗିରଫ କରାଯାଇଛି । ଭିଜିଲାନ୍ସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଜୟପାଟଣା ଅଞ୍ଚଳର ସମ୍ପୃକ୍ତ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଶ୍ରୀ ଚକ୍ମା ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ରବିବାର ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ରାଶିଗ୍ରହଣ କରିଥିଲେ । ଟଙ୍କା ବାସଭବନର ଅଫିସ୍ ଟେବୁଲ ଡ୍ରୟର ଭିତରେ ରଖିଥିଲେ । ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଚଢ଼ଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ । ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ ବେଳେ ଆହୁରି ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯିବା ପରେ ସୋମବାର ସକାଳେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍ମାଙ୍କୁ ଗିରଫ କରାଯାଇଛି । ୨୦୨୧ ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀ ଚକ୍ମ ବାରିପଦା ବନ ବିଭାଗରେ ବରିଷ୍ଠ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ । ସେଠାରୁ ସେ ବଦଳି ହୋଇ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଯୋଗଦେଇଥିଲେ । ଧର୍ମଗଡ଼ରେ ସେ ପାଖାପାଖି ବର୍ଷେ ହେଲା କାର୍ଯ୍ୟରତ ଥିଲେ ।