
ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସିଭିକ ସେଣ୍ଟରଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଭାଗୀୟ ଅତିରିକ୍ତ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ.ଅନୁପ କୁମାର ମଲ୍ଲିକ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ, ବନିକରଣ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଶ୍ରୀ ମଲ୍ଲିକ ଆହ୍ୱାନ କରିଥିଲେ । ବରେଣ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ୱାର୍କସ) ବିଶ୍ୱରଂଜନ ପଳାଇ, ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ, ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ, ଆରଏସପି ର ମାଇନିଂ ବିଭାଗ ଇଡି ଏମ.ପି. ସିଂହ, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ବିଶ୍ୱରଂଜନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତାଭାବେ ପାନପୋଷ ଏ.ଡି.ୟୁ.ପି.ଏଚ ଅଫିସର ଡାକ୍ତର ଏସ. କେ ପାଢୀ ଏବଂ ଏନଆଇଟି ଆଲୁମିନି- ଏଣ୍ଡଷ୍ଟ୍ରି – ଅନ୍ତର୍ଜାତୀୟ ସମ୍ପର୍କ ବିଭାଗ ଡିନ ପ୍ରଫେସର ଏଚ. ବି. ସାହୁ ମଂଚାସୀନ ଥିଲେ । ବରେନ୍ୟ ଅତିଥି ଓ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ପରିବେଶ ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣର ପ୍ରଭାବ ଓ ଏହାର ନିରାକରଣ, ଆମମାନଙ୍କ କର୍ତ୍ତବ୍ୟ ସମ୍ପର୍କ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଜନସାଧାରଣଙ୍କ ମାନସିକତାର ପରିବର୍ତ୍ତନ, ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବାକୁ ଆହ୍ୱାନ କରିଥିଲେ । ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସହକାରୀ ପରିବେଶ ଯନ୍ତ୍ରୀ ପ୍ରିତମ କୁମାର ପତି ଓ ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ସହକାରୀ ପରିବେଶ ବୈଜ୍ଞାନିକ ସୌମ୍ୟରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବୋର୍ଡର ଉପ ପରିବେଶ ଯନ୍ତ୍ରୀ ଇଂ ରମଣିରଞ୍ଜନ ଦାସ, ଇଂ ରଜତ କୁମାର ସେଠି ଓ ଅନ୍ୟ ଅଧିକାର ତଥା କର୍ମଚାରୀମାନେ ସଫଳତାର ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ୱାଇଏମ୍ଏଫ୍ଆଇର ସାଧାରଣ ସମ୍ପାଦକ ବିବେକ ଦାସଙ୍କ ରଚିତ ପ୍ଲାଷ୍ଟିକ ବର୍ଜନ ସମ୍ପର୍କିତ ପାଠପ୍ରାନ୍ତ ନାଟକ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଶେଷରେ ମିଶନ ଲାଇଫର ପରିବେଶ ଆଧାରିତ ଜୀବନଶୈଳୀ ପାଇଁ ଶପଥ ପାଠ କରାଯାଇଥିଲା । ଏଥିରେ ବହୁସଂଖ୍ୟକ ଶିଳ୍ପ କାରଖାନା ପ୍ରତିନିଧି, ଅଭିଭାବକ, ବୁଦ୍ଧିଜୀବୀ ଓ ସହଭାଗୀ ଯୋଗ ଦେଇଥିଲେ ।