
ତୁରେକେଲା, (ପିତାମ୍ବର ଦୀପ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ବ୍ଲକ କର୍ମଚାରୀଙ୍କ ଜୀବନ । ତୁରେକେଲା ବ୍ଲକ ଗୋଇନ୍ଦିମାଲ୍, କୁଶପାଲି ଓ ହଲନଭଟା ଯିବା ରାସ୍ତାର ତିନି କୋଣିଆ ବୁଲାଣି ଛକଠାରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୨ ଜଣ ଗୁରୁତର ଥିଲେ । ସୂଚନା ଅନୁସାରେ ତୁରେକେଲା ଗାଁର ପପୁ ବେନିଆ (୨୭) ଓ ଅମିତ ପଟେଲ୍ ହଲନଭଟାରୁ ଫେରୁଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ପଡ଼ିଯାଇଥିଲେ । ଫଳରେ ଦୁଇଜଣଙ୍କ ମୁଁହ ଏବଂ ଶରୀରରେ ଆଘାତ ହୋଇ ଜୋର୍ ରକ୍ତସ୍ରାବ ହୋଇଥିଲା । ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ପରେ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବ୍ଲକ କର୍ମଚାରୀ ପପୁ ବେନିଆଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି ।