
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ନଦୀପଡ଼ାରେ ଦୀର୍ଘବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ନିମନ୍ତେ ବୁଧବାର ପଡାର ଶତାଧିକ ମହିଳା ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ ଖୋଦ ଜିଲ୍ଲା ସଦର ମହକୁମାରେ ଏଭଳି ସମସ୍ୟା ଦେଖାଯାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଦୀପଡ଼ାରେ ପ୍ରାୟ ତିନିଶହରୁ ଅଧିକ ପରିବାର ବସବାସ କରୁଥିବା ବେଳେ ପଡାରେ ପିଇବା ପାଣିର କୌଣସି ସୁବ୍ୟବସ୍ଥା ନଥିବାରୁ ଲୋକେ ଦୂଷିତ ପାଣି, ଫ୍ଲୋରାଇଡ ଯୁକ୍ତ ପାଣି ପିଇ ନାନା ରୋଗରେ ରୋଗାଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି । ପ୍ରଥମେ ଉକ୍ତ ପଡା ପାଖରେ ବହିଯାଉଥିବା ଜୀରା ନଦୀରେ ବାଲି ଚୁଆଁ କରି ଲୋକେ ପାଣି ବ୍ୟବହାର କରୁଥିଲେ । ପର୍ଯ୍ୟାୟକ୍ରମେ ବାଲି ମାଫିଆଙ୍କ କାରଣରୁ ନଦୀ ପଠାରୁ ସମସ୍ତ ବାଲି ଉଭେଇଯାଇଥିବା ବେଳେ ନଦୀରେ ଆଉ ପୂର୍ବ ପରି ପାଣିରେ ଶ୍ରୋତ ମଧ୍ୟ ନାହିଁ । ଏନେଇ ପୂର୍ବରୁ ଅନେକ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ, ବିଡ଼ିଓ, ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲୋକେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଏନେଇ ବୁଧବାର ନଡ଼ିପଡ଼ା ଗ୍ରାମର ଶତାଧିକ ମହିଳା ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଁଞ୍ଚି ନିଜର ଦାବୀ ଜଣାଇଥିଲେ “ଆମକୁ ପାଣି ଦିଅ ପାଣି” କହି ନାରାବାଜି ଦେଇଥିଲେ । ପରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ସାତଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ଆନ୍ଦୋଳନର ରାସ୍ତା ଆପଣାଇବା ନେଇ ଚେତାବନୀ ଦେଇଛନ୍ତି । ନଡ଼ିପଡ଼ା ବାସିନ୍ଦା ବାସ୍ମତୀ ବନଛୋର, ସଞ୍ଜୟ ପଣ୍ଡା, ରବି ମହାପାତ୍ର, ବିଜୟ ପଣ୍ଡା, କିଶୋର ଗହୀର, ସବିତା ମହଲା, ସରୋଜ ମହଲା, ମଞ୍ଜୁ ନିଆଳ, ଲକ୍ଷ୍ମୀ ନାଗ, ବନିତା ବାଗ, ଗାନ୍ଧୀ ମେହେର, ଲିଙ୍ଗରାଜ ଦାସ, ପୁର୍ଣ୍ଣ ବାଗ, ନିତ୍ୟା ବେହେରା, ଆନନ୍ଦ ବେହେରାଙ୍କ ସମେତ ଶତାଧିକ ମହିଳା ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟଳେୟକୁ ଯାଇଥିଲେ ।