
ରାଉରକେଲା, (କେପିଏନ୍ଏସ୍) : ଫର୍ଟିଲାଇଜର ସ୍ଥିତ ଲାଲ ଟାଙ୍କୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟ୍ରପ୍ରହରୀ ନାମଯଜ୍ଞ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି । ଏହି ନାମଯଜ୍ଞ ପାଇଁ ମେ ୯ ତାରିଖ ଦିନ ଆଂଚଳର ବାସିନ୍ଦାମାନେ ତରକେରା ନଦୀ ଘାଟରୁ ଜଳ ଉଠାଇ କଳସ ଶୋଭାଯାତ୍ରା କରି ରାଧାଗୋବିନ୍ଦ ମନ୍ଦିର ପରିସରରେ ପହଂଚିଥିଲେ । ପଦ୍ମଲୋଚନ ଗିରି ଏବଂ ତାଙ୍କ ଧର୍ମପତ୍ନୀ ଏହି କଳସଯାତ୍ରାର କର୍ତ୍ତା ଭାବେ ରହି ସମସ୍ତ ପୂଜା ବିଧିକୁ ସମ୍ପନ୍ନ କରିଥିଲେ । ମେ ୧୦ତାରିଖ ଦିନ ନାମ କୀର୍ତ୍ତନ ଆରମ୍ଭ ହୋଇ ମେ୧୧ ତାରିଖ ଦିନ ଶେଷ ହୋଇଥିଲା । ଏହି ନାମ କୀର୍ତ୍ତନରେ କର୍ତ୍ତା ଭାବେ ଧ୍ୟାନଚାନ୍ଦ ଗିରି ପୂଜା ବିଧିକୁ ସୂଚାରୁ ରୂପ ପରିଚାଳନା କରିଥିଲେ । ୧୯୯୬ ମସିହାରୁ ଅଂଚଳବାସୀଙ୍କ ସହଯୋଗରେ ଏହି ନାମ କୀର୍ତ୍ତନ ମହାଆଡମ୍ବରରେ ଆୟୋଜିତ ହୋଇଆସୁଛି । ଓଡିଶାରେ ବିଭିନ୍ନ ଅଂଚଳରେ ‘ହରେ କୃଷ୍ଣ ହରେ ରାମ’ ନାମ କୀର୍ତ୍ତନ ଚାଲୁଥିବା ବେଳେ ଏହି ଅଂଚଳରେ ରାଧା ଗୋବିନ୍ଦ ନାମ ମନ୍ତ୍ରକୁ ସଂକୀତ୍ତ୍ତନ କରାଯାଏ । ଦୁଇଦିନ ଧରି ଅଂଚଳବାସୀଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ନାମ କୀର୍ତ୍ତନରେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ଏହି ନାମ କୀର୍ତ୍ତନରେ ଦୋଳଗୋବିନ୍ଦ କୈବର୍ତ୍ତ, ରତନ ଗିରି, ବୈଶାଗୁ ପ୍ରଧାନ, ବାସୁଦେବ ଗିରି, ଋଷି ବାରିକ, ରବି ନାୟର, ଗୋପାଳ ନାୟକ, ନୃସିଂହ ପ୍ରଧାନ, ରାମେଶ୍ୱର ଗିରି, ତୋଫାନ ଗରି, ମନୋଜ ତମଙ୍ଗୋ, ପରଦେଶୀ ଗିରି, ସତ୍ୟରଞ୍ଜନ ପ୍ରଧାନ, ସୁଶାନ୍ତ ଗିରି, ଦୁର୍ଯ୍ୟ ଗୋପ ପ୍ରମୁଖ ସହଯୋଗ କରିଥିଲେ ।