ଅଯୋଧ୍ୟା ଗଲେ ୧୯୨ଜଣ ବରିଷ୍ଠ ନାଗରିକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ୧୯୨ ଜଣ ବରିଷ୍ଠ ନାଗରିକ ଆଜି ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରାଣାସୀ ଓ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଭବାନୀପାଟଣାରୁ ୫ ଗୋଟି ସ୍ୱତନ୍ତ୍ର ବସ ଯୋଗେ ୧୯୨ ଜଣ ବରିଷ୍ଠ ନାଗରିକ ରାୟଗଡା ବାରଣାସୀ, ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରାଣାସୀ, ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ ଏବଂ ଆସନ୍ତା ୧୩ ତାରିଖରେ ଫେରିବା କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ପତାକା ଦେଖାଇ ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ । ସମସ୍ତ ତୀର୍ଥଯାତ୍ରୀ ଏପଟେ ସେପଟେ ନ ହୋଇ ସାଙ୍ଗରେ ରହି ନିଜର ସୁବିଧା ଅସୁବିଧା ସାଙ୍ଗରେ ଯାଇଥିବା ଏସ୍କର୍ଟ ଅଧିକାରୀଙ୍କୁ ଜଣାଇ କିପରି ସୁରକ୍ଷିତ ଭାବରେ ତୀର୍ଥଯାତ୍ରା ଭ୍ରମଣ ସାରି ନିଜ ନିଜ ଘରକୁ ପ୍ରତ୍ୟାବତ୍‌ର୍ତ୍ତନ କରିବେ ସେ ସମ୍ପର୍କରେ ଜିଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାର ୧୯୨ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଭଲରେ ତୀର୍ଥ ଯାତ୍ରା ସାରି କେମିତି ଭଲରେ ଫେରିଆସିବେ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କର ଶୁଭ କାମନା କରିଥିଲେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ମାନଙ୍କ ସହାୟତା ପାଇଁ ୬ ଜଣ ଏକ୍ସକର୍ଟ ଅଧିକାରୀ ସାଙ୍ଗରେ ଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ, ଡେପୁଟି ସିଓ, ଓରମାସ, ଜର୍ଜ୍ କେରକେଟା ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.