
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସଂପର୍କ’ ଦ୍ୱାରା ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୫ର ଚତୁର୍ଥ ସଂଧ୍ୟାର ଉତ୍ସବକୁ ଏନ୍.ଟି.ପି.ସି ସେଲ୍ ମୁଖ୍ୟ ମହାପ୍ରବନ୍ଧକ ତଥା ବିଜନେସ୍ ୟୁନିଟ୍ର ହେଡ୍ କେ. ସତ୍ୟନାରାୟନ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରିମ୍ସ ରାଉରକେଲାର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ଓ ରାଉରକେଲା ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଯୋଗଦାନ କରିଥିଲେ । ଏହିଅବସରରେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଆରଏସପି ଉପ ମହାପ୍ରବନ୍ଧକ ଗୋପୀନାଥ ପଟ୍ଟନାୟକଙ୍କୁ ‘ସଂପର୍କ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଚାରିଜଣ ଯୁବ ସାମ୍ବାଦିକଙ୍କୁ ‘ଗୌରୀଶଙ୍କର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ଅନିଲ୍ କୁମାର ମଲ୍ଲିକ ପରିଚାଳନା କରିଥିବା ବେଳେ ସଂଜୀବ ଚାନ୍ଦ ଧନ୍ୟବାଦ ଦେଇଥିଲେ । ପୁଷ୍ପା ବିଶୋୟୀ, ସୁରଭି ରଣା, ସୁରେନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ପରେ ପାଟନା, ବିହାରର ପ୍ରସିଦ୍ଧ ନାଟ୍ୟାନୁଷ୍ଠାନ ପ୍ରାଙ୍ଗଣର କଳାକାରମାନେ ‘ଅତୀତ କେ ବାତାୟନ’ ନାଟକ ମଞ୍ଚସ୍ଥ କରିଥିଲେ । ନାଟକର କାହାଣୀ ଆରମ୍ଭ ହୁଏ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସାନ୍ତାଳମାନଙ୍କ ଆନ୍ଦୋଳନରୁ । ଏହି ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିଦେଇଥିବା କୁନୱାର ସିଂଙ୍କ ଦେଶପାଇଁ ବଳିଦାନକୁ ଆଧାର କରି କାହାଣୀଟି ଆଗକୁ ଆଗେଇଛି । ଏହି କାହାଣୀରେ ଇଂରେଜ ସରକାରଙ୍କ ବିରୋଧରେ ପ୍ରଥମ ବୋମାମାଡ ହୋଇଥିବା ବିହାରର ସ୍ୱାଧୀନତା ସଂଗ୍ରାମୀଙ୍କ ଅକୁଣ୍ଠ ବଳିଦାନକୁ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ ଯାତ୍ରା, ଭାରତଛାଡ଼ ଆନ୍ଦୋଳନ ଆଦିରେ ବିହାରର ଲୋକମାନଙ୍କ ଯୋଗଦାନକୁ ଲୋକନୃତ୍ୟ ମାଧ୍ୟମରେ ସୁନ୍ଦରଭାବେ ଉପସ୍ଥାପନ କରି କଳାକାରମାନେ ଦର୍ଶକଙ୍କ ମନରେ ସ୍ୱଦେଶପ୍ରୀତି ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ । କଳାକାରମାନଙ୍କ ନିଖୁଣ ଅଭିନୟ, ସୁନ୍ଦର କୋରିଓଗ୍ରାଫୀ, ସୁମଧୁର ସଂଗୀତ ସାଙ୍ଗକୁ ଉଚ୍ଚକୋଟୀର ନିର୍ଦ୍ଦେଶନା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ନାଟକର ରଚୟିତା ହେଉଛନ୍ତି ଅରୁଣ ସିହ୍ନା ଓ ନିର୍ଦ୍ଦେଶନା ଦେଇଛନ୍ତି ଅଭୟ ସିହ୍ନା ।