
- ନୃସିଂହ ଚରଣ ବିଶ୍ୱାଳ ସଭାପତି ଓ ମନୋଜ କୁମାର ନନ୍ଦ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ଦ୍ୱିବାର୍ଷିକ ନିର୍ବାଚନ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ବାଲଟ ପେପର୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ହରମୋହନ ମିଶ୍ର, ମଞ୍ଜୁଳା ରଥ ଏବଂ ସୁଶୀଲ କୁମାର ଜେନା ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ପରିଚାଳନା କରିଥିଲେ । ସର୍ବପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତୀ ନିକଟରେ ନିର୍ବାଚନ ଅଧିକାରୀ ଓ କର୍ମକର୍ତ୍ତା ମାନେ ପୁଷ୍ପମାଲ୍ୟ ପ୍ରଦାନ କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ । ସର୍ବ ପ୍ରଥମେ ଦିବଂଗତ କବି ରମାକାନ୍ତ ରଥଙ୍କ ସ୍ତୁତିଚାରଣ କରାଯାଇ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଭାପତି ଭାବେ ନୃସିଂହ ଚରଣ ବିଶ୍ଵାଳ ନିର୍ବାଚିତ ହୋଇଥିବା ବେଳେ ମନୋଜ କୁମାର ନନ୍ଦ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ପ୍ରତାପ କୁମାର ପଣ୍ଡା କାର୍ଯ୍ୟକାରୀ ସଭାପତି ଏବଂ ଉପେନ୍ଦ୍ର କୁମାର ବସ୍ତିଆ କୋଷାଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ରଶ୍ମିବାଳା ରାଉତରାୟ, ସହ ସାଧାରଣ ସମ୍ପାଦକ ଭାବରେ ସୁଶାନ୍ତ କୁମାର ନାୟକ ନିର୍ବାଚିତ ହୋଇଥିଲେ । ବହୁସଂଖ୍ୟାରେ ଉପସ୍ଥିତ ଥିବା ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର ଫଳାଫଳ ଘୋଷଣା କରି ନିର୍ବାଚନ ଏକ ପ୍ରକ୍ରିୟା, ତେଣୁ ସମସ୍ତେ ମିଶି ସଂସଦର ଉନ୍ନତି କଳ୍ପେ କାମ କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଖୁବ୍ ଶିଘ୍ର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ବୈଠକ ମାଧ୍ୟମରେ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରୀ କମିଟି ଗଠନ କରାଯିବ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀ ବିଶ୍ଵାଳ ପ୍ରକାଶ କରିଥିଲେ । ସର୍ବଶେଷରେ ମଞ୍ଜୁଳା କୁମାରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।