ଖଣ୍ଡାଚୋଟରେ ଯୁବକ ମୃତ, ସାଙ୍ଗ ଗୁରୁତର

ବାଲିଅନ୍ତା : ହୋଲି ପୂର୍ବରୁ ବାଲିଅନ୍ତା ଥାନା ଅଧୀନ ଅଣ୍ଡିଲୋ ଗାଁ ଦାଣ୍ଡ ରକ୍ତର ହୋଲି ଖେଳିଛି । ସାଇକେଲ ଚୋରି ସନ୍ଦେହରେ ଜଣେ ବ୍ୟକ୍ତି ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ହାଣିଛନ୍ତି । ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣବାୟୁ ଉଡିଯାଇଛି । ମୃତ ଯୁବକ ଜଣକ ହେଲେ ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ୫ ନମ୍ବର ୱାର୍ଡର ସୌମ୍ୟରଞ୍ଜନ ଭୋଇ(୩୨) ଓରଫ ମିଲୁ । ତାଙ୍କୁ ରକ୍ଷା କରିବାକୁ ଯାଇ ମା’ ମୀନା ଭୋଇ ଗୁରୁତର ଆହତ ହୋଇଛି । ମୀନାଙ୍କ ଅଣ୍ଟା ଓ ହାତରେ ଖଣ୍ଡା ଚୋଟ ବାଜିଛି । ଏତିକିରେ ଆକ୍ରମଣକାରୀର ଆତଙ୍କ ଥମିନଥିଲା । ତା’ ଖଣ୍ଡା ଚୋଟରେ ସୌମ୍ୟରଞ୍ଜନଙ୍କ ସାଙ୍ଗ ଶେଖ୍‌ ଅଜିତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ବାଲିଅନ୍ତା ଥାନା ପୁଲିସ ଏହି ଘଟଣାରେ ତରୁଣ ଭୋଇ ଓରଫ ଟିମ (୪୮) ନାମକ ଯୁବକକୁ ଗିରଫ କରିଛି । ସୂଚନା ଯୋଜ୍ୟ ଯେ ଗାଁରୁ ଗତକାଲି ତରୁଣର ସାଇକେଲ ଚୋରି ଯାଇଥିଲା । ସାଇକେଲଟିକୁ ସୌମ୍ୟରଞ୍ଜନ ଓ ତାଙ୍କର ସାଙ୍ଗ ଶେଖ ଅଜିତ ଚୋରି କରି ନେଇଥିବା ତରୁଣ ସନ୍ଦେହ କରିଥିଲା । ବୁଧବାର ଉଭୟଙ୍କୁ ପଚରାଉଚରା କରିଥିଲା । କିନ୍ତୁ ସେମାନଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ତରୁଣର ସନ୍ଦେହ ଆହୁରି ବଢ଼ିଥିଲା । ଗତକାଲିଠୁ ସେ ଉଭୟ ସୌମ୍ୟରଞ୍ଜନ ଓ ଅଜିତକୁ ପାନେ ଦେବାକୁ ସୁଯୋଗ ଖୋଜୁଥିଲା । ଗୁରୁବାର ସଂଧ୍ୟା ସାଢ଼େ ୭ଟା ବେଳେ ସୌମ୍ୟରଞ୍ଜନ ଓ ଶେଖ ଅଜିତ କାମ ସାରି ବାଇକରେ ଗାଁକୁ ଫେରୁଥିଲେ । ପୂର୍ବରୁ ଗାଁ ଦାଣ୍ଡରେ ଖଣ୍ଡା ଧରି ଛକି ବସିଥିବା ତରୁଣ ଉଭୟଙ୍କୁ ଅଟକାଇ ସାଇକେଲ ବିଷୟରେ ପଚାରିଥିଲା । ଯାହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ତରୁଣ ଖଣ୍ଡା ଧରି ଗୋଡ଼ାଇବାରୁ ଉଭୟେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ବାଇକ ପଛରେ ବସିଥିବା ସୌମ୍ୟରଞ୍ଜନଙ୍କ ବେକକୁ ତରୁଣ ଚୋଟ ପରେ ଚୋଟ ମାରି ଚାଲିଥିଲା । ସୌମ୍ୟରଞ୍ଜନଙ୍କୁ ବଞ୍ଚାଇବାକୁ ଯାଇ ସେଠାକୁ ଦୌଡ଼ି ଆସିଥିବା ତାଙ୍କର ମା’ ମୀନା ଆକ୍ରମଣର ଶିକାର ହୋଇଥିଲେ । ଶେଖ ଅଜିତ ମଧ୍ୟ ତରୁଣ ଆକ୍ରମଣରୁ ବର୍ତ୍ତି ପାରିନଥିଲେ । ଖଣ୍ଡା ଚୋଟ ଦେହରେ ବାଜିଥିଲେ ମଧ୍ୟ ବାଇକ ଛାଡ଼ି ଦୌଡ଼ି ପଳାଇବାରୁ ରକ୍ଷା ପାଇଯାଇଥିଲେ । ଅଜିତ କ୍ଷତାକ୍ତ ହୋଇଥିଲେ ହେଁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏନେଇ ଘଟଣାସ୍ଥଳରେ ଭୀଷଣ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ତରୁଣକୁ କାବୁ କରି ବାଲିଅନ୍ତା ଥାନା ପୁଲିସକୁ ଜଣାଇଥିଲେ । ଖବର ପାଇ ବାଲିଅନ୍ତା ଥାନା ପୁଲିସ ସୌମ୍ୟରଞ୍ଜନଙ୍କ ମୃତଦେହ ଜବତ କରିଥିଲା ।

Leave A Reply

Your email address will not be published.