• ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
• ୧୭ରୁ ୨୧ ତାରିଖ ଯାଏଁ କଳାବେଚ ପିନ୍ଧି ପ୍ରତିବାଦ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ହେବା ପର୍ଯ୍ୟନ୍ତ ଚାକିରି ନିରାପତ୍ତା, ଛଟେଇ ବନ୍ଦ ଓ ଛଟେଇ କର୍ମଚାରୀଙ୍କ ପୁନଃ ନିଯୁକ୍ତି, ନିୟମିତ ଦରମା ପ୍ରଦାନ ତଥା ଡେଲି ୱାଇଜ ଓ ଆଉଟ ସୋରସିଂ କର୍ମଚାରୀଙ୍କୁ ସମାନ ସୁବିଧା ସୁଯୋଗ ଦାବିରେ ଆଜି ବଲାଙ୍ଗିର ସରକାରୀ ଆଉଟସୋରସିଂ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଯାଦବ ଭବନରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ଆଉଟ ସୋରସିଂ କର୍ମଚାରୀ ସରକାରଙ୍କ ଏହି ଶୋଷଣକାରୀ ପ୍ରଥାକୁ ବିଲୋପ କରିବା ପାଇଁ ସ୍ଲୋଗାନ ଜରିଆରେ ଦାବି କରିଥିଲେ । ଆସନ୍ତା ୧୭ ତାରିଖରୁ ୨୧ ଯାଏଁ କଳା ବେଚ ପିନ୍ଧି କାର୍ଯ୍ୟାଳୟଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ । ଏ ଦିଗରେ ସରକାରଙ୍କ ତରଫରୁ ସକାରାତ୍ମକ ପଦକ୍ଷେପ ନିଆ ନ ଗଲେ ଆଗାମୀ ୨୪ ମାର୍ଚ୍ଚ ଦିନ ଭୁବନେଶ୍ଵର ଲୋଅର ପିଏମ୍ଜୀ ଠାରେ ବିଶାଳ ଗଣ ବିକ୍ଷୋଭ କରାଯିବାକୁ ସ୍ଥିର କରାଯାଇଛି । ରାଜ୍ୟ ସଂଘ ତରଫରୁ ଦିଆଯାଇଥିବା ଡ଼ାକରାରେ ଜିଲ୍ଲାରୁ ହଜାରରୁ ଉର୍ଦ୍ଧ୍ୱ ଆଉଟସୋରସିଂ କର୍ମଚାରୀ ଏହି ଗଣ ବିକ୍ଷୋଭରେ ସାମିଲ ହେବେ ବୋଲି ଜଣାଯାଇଛି । ବିଗତ କିଛି ବର୍ଷ ହେଲା ଲଗାତାର ଭାବେ ଆଉଟସୋରସିଂ କର୍ମଚାରୀମାନେ ନିଜ ଦାବି ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରି ଆସୁଛନ୍ତି । ପୂର୍ବରୁ ବିଜେଡ଼ି ସରକାର ଅଳ୍ପ କିଛି ଦାବି ପୂରଣ କରିବା ସହ ୨୫% ଦରମା ବୃଦ୍ଧି କରିଥିଲେ । ମାତ୍ର ଏହି ବର୍ଦ୍ଧିତ ଦରମା ଅନେକ ବିଭାଗରେ କାମ କରୁଥିବା କର୍ମଚାରୀ ଏ ପର୍ଯ୍ୟନ୍ତ ପାଇବାରୁ ବଞ୍ଚିତ ହୋଇଛନ୍ତି । ପୂର୍ବ ଆନ୍ଦୋଳନ ସମୟରେ ଏବେକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିରୋଧୀ ଦଳ ମୁଖ୍ୟ ସଚେତକ ଥାଇ ସରକାରକୁ ଆସିଲେ ଏହି ଅନ୍ୟାୟ ବ୍ୟବସ୍ଥାକୁ ହଟେଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ ଏବେ ନିଜେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ । ତେଣୁ ରାଜ୍ୟର ହଜାର ହଜାର ଆଉଟ ସୋରସିଂ କର୍ମଚାରୀଙ୍କ ବହୁ ପ୍ରତିକ୍ଷୀତ ଦାବି ପୂରଣ କରିବେ ବୋଲି ସମସ୍ତେ ଆଶା ବାନ୍ଧି ରହିଛନ୍ତି । ଆଶାନୁରୂପ ତଥା ଆଖିଦୃଶିୟା ଭାବେ ଦାବି ପୂରଣ ନ ହେଲେ ୨୪ ତାରିଖର ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରୀ ରହିବ ବୋଲି ସଂଘ ତରଫରୁ ଜଣାଇ ଦିଆଯାଇଛି ।