ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଆଇଟିଆଇ ରାଉରକେଲା ଠାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳନ ସହ ରାଜ୍ୟ ସ୍ତରୀୟ ଫେଷ୍ଟରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ ହାସଲ କରିବା ପାଇଁ ସେମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଆଇଟିଆଇର ଅଧ୍ୟକ୍ଷ ଇଂ ଡମାନ ସୋରେନଙ୍କ ପୈ।ରହିତ୍ୟ ଓ କୁନମୁନ ବେହେରା, ପ୍ରଦୀପ କୁମାର ବିଶ୍ଵାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଜେଲର ସୁପରିଟେଣ୍ଡେନ ଜୀବନ ସିଂ ମୁଣ୍ଡା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସମାଜସେବୀ ଦିପ୍ତୀମୟୀ ସୁନ୍ଦରାୟ, ଲୀନା ତ୍ରିପାଠୀ, ଶ୍ରଦ୍ଧା ପରିଡ଼ା, ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ଆଇଟିଆଇର ଉପସଭାପତି ଉତ୍ତମ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ଆନ୍ତର୍ଜାତିକ ମହିଳା ଦିବସର ଆଭିମୁଖ୍ୟ ଓ ସଶକ୍ତିକରଣ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଏହା ସହ ଶିକ୍ଷା ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ତଥା ସେଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୬ ଓ ୭ ତାରିଖରେ କଟକରେ ହୋଇଥିବା ରାଜ୍ୟ ସ୍ତରୀୟ ଆଇଟିଆଇ ଫେଷ୍ଟ ୨୦୨୪ -୨୫ ରେ ରାଉରକେଲା ସରକାରୀ ଆଇଟିଆଇର ୧୫୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନେ କବାଡି, ଭଲିବଲ୍, ଫୁଟବଲ, ଖୋଖୋ, ବ୍ୟାଡମିଣ୍ଟନ, କ୍ରିକେଟ, ଡ୍ରାମା, ମନୋଆକ୍ଟ, ମିମିକ୍ରୀ, ବକୃତା, ସାଧାରଣ ଜ୍ଞାନ, ବିଭିନ୍ନ ନୃତ୍ୟରେ ଅଂଶଗ୍ରହଣ କରି ସୁନ୍ଦରଗଡ ଜୋନ୍କୁ ଚମ୍ପିୟାନ କରାଇଥିଲେ । ଏଥିପାଇଁ ଚମ୍ପିୟାନ କପ୍ ସହ ବିଭିନ୍ନ ପୁରସ୍କାର ଜିତି ରାଉରକେଲା ସରକାରୀ ଆଇଟିଆଇକୁ ଗର୍ବିତ କରାଇଥିଲେ । ଏଥିପାଇଁ ଇନଷ୍ଟିଚ୍ୟୁଟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୋରେନ ସମସ୍ତ ଛାତ୍ରଛାତ୍ରୀ, ପ୍ରଶିକ୍ଷିକା, ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଶେଷରେ ଏହି ଅବସରରେ ଅତିଥି ମାନେ ସମସ୍ତଙ୍କୁ ଅବିର ଲଗାଇ ହୋଲି ପାଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
Prev Post