ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ମାର୍ଚ୍ଚ ୮ ତାରିଖ ଶନିବାର ଦିନ ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଳା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ଅଦାଲତ ପରିସର ଓ ଜିଲ୍ଲାର ସମସ୍ତ ରାଜସ୍ୱ ବିଭାଗ ତଥା ରାଷ୍ଟ୍ରୟତ ବ୍ୟାଙ୍କ, ଜିଲ୍ଲା ଶ୍ରମ ବିଭାଗ, ବିଏସ୍ଏନ୍ଏଲ୍, ମୁନିସିପାଲିଟି, ଜଳ ଯୋଗାଣ ବିଭାଗ , ଖାଉଟି ଫୌରମରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ ), ଚେକ ବାଉନ୍ସ , ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ,ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧିଗ୍ରହଣ, ଚାକିରୀ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହା ସହ ପ୍ରାକ ମକଦ୍ଦମା ସ୍ତରୀୟ ମାମଲା ତଥା ଚେକ ବାଉନ୍ସ, ବ୍ୟାଙ୍କ ଋଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ) ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଲୋକ ଅଦାଲତରେ ମକଦ୍ଦମା, ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ କରିବାକୁ ପଡେନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ ଓ ଚୁଡାନ୍ତ ଅଟେ । ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ । ଏ ସମ୍ପର୍କରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଓ ତାଲୁକ ଆଇନ ସେବା କମିଟି ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଳା ଓ ମୁରିବାହାଲ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଛି ।