ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ

ବୈପାରୀଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଗାଁ ଗହଳି ଓ ଦୁର୍ଗମ ଅଞ୍ଚଳରେ ମାଟି ଓ ଜଳକୁ ସଠିକ୍ ଭାବେ ବ୍ୟବହାର କରାଯାଉନଥିବାରୁ ଗ୍ରାମବାସୀ ମାନଙ୍କୁ ନେଇ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା (ୱାଟରସେଡ) ବିଭାଗ ପକ୍ଷରୁ ଏକ ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ ପାଳିତ ହୋଇଯାଇଛି । ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ରାମପୁର ଓ ଗନିପୁଟ ମାଳିଗୁଡା ଠାରେ ଏହି ମହୋତ୍ସବ ପାଳିତ ହୋଇଥିବା ବେଳେ ଆଖପାଖ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ମହୋତ୍ସବର ପ୍ରକୃତ ଉଦ୍ଦେଶ୍ୟକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବା ସ୍ଥଳେ ଖରା, ବର୍ଷା ଓ ଶୀତ ଋତୁରେ ମାଟି ଓ ଜଳକୁ ସଂରକ୍ଷିତ ଭାବେ ରଖି କୃଷି କାର୍ଯ୍ୟ ସହିତ ଅନ୍ୟାନ କ୍ଷେତ୍ରରେ କେମିତି ବିନିଯୋଗ କରାଯାଇପାରିବ ସେନେଇ ବିଭାଗରୁ ଆସିଥିବା ଅଧିକାରୀମାନେ ଗାଁ ଲୋକଙ୍କୁ ବୁଝାଇବା ସହ ତାହାର ବ୍ୟବହାର ବିଷୟରେ ଅବଗତ କରାଇଥିଲେ । ଏହି ମହୋତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଲାର ସରପଞ୍ଚ ଜୟନ୍ତୀ ନାୟକ, ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ, ଜିଲ୍ଲା ଅତିରିକ୍ତ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଜୟଶଙ୍କର ପ୍ରଧାନ, ପିଆଇଏ ନରସିଂହ ନାୟକଙ୍କ ସହ ଅନେକ ଅତିଥି ଉପସ୍ଥିତ ରହିଥିଲେ । ଏହି ମହୋତ୍ସବରେ ଅନ୍ୟ କିଛି ବିଭାଗର ଷ୍ଟଲ ମଧ୍ୟ ଖୋଲାଯାଇ ସେହି ବିଷୟରେ ଲୋକଙ୍କୁ ସଚେତନତା କରାଯାଇଥିଲା ।

Leave A Reply

Your email address will not be published.