ରାଜ୍ୟରେ କେମିତି ଚାଲିବ ତହସିଲ କାମ ଖାଲିପଡ଼ିଛି ୪ ହଜାର ପଦବି

ଭୁବନେଶ୍ୱର : ରାଜ୍ୟରେ କେମିତି ଚାଲିବ ତହସିଲ କାମ ଖାଲିପଡ଼ିଛି ପାଖପାଖି ୪ ହଜାର ପଦବି ସେଥରେ ୧୦୦୧ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ), ୧୫୬୯ ସହକାରୀ ରାଜସ୍ୱ ନିରୀକ୍ଷକ(ଏଆର୍‌ଆଇ) ଓ ୧୪୦୧ ଅମିନ ପଦବି ରହିଛି । ବିଶେଷ କରି ଜମି ପଟ୍ଟା ହେବାଠୁ ଆରମ୍ଭ କରି ଜାତି ପ୍ରମାଣପତ୍ର, ଆୟକର ପ୍ରମାଣପତ୍ର, ଚାଷ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜସ୍ୱ ଅଧିକାରୀଙ୍କ ଭୂମିକା ରହିଛି । ହେଲେ ଦୀର୍ଘ ଦିନ ହେବ ଏହି ପଦବି ପୂରଣ ନ ହୋଇ ଖାଲିପଡ଼ିଛି । ରାଜ୍ୟର ୩୧୭ଟି ତହସିଲରେ ୨୭୧୧ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି । ସେଥିରେ ମୋଟ ୩୬୬୫ ଆର୍‌ଆଇ, ୩୧୦୧ ଏଆର୍‌ଆଇ ଓ ୨୭୮୯ ଅମିନ ନିଯୁକ୍ତି ହେବା କଥା । ମାତ୍ର ସାରା ରାଜ୍ୟରେ ଏବେ ମୋଟ ୨୫୬୪ ଆର୍‌ଆଇ, ୧୫୩୨ ଏଆର୍‌ଆଇ ଓ ୧୩୮୮ ଅମିନ ଅଛନ୍ତି । କଟକ ଜିଲ୍ଲାରେ ସର୍ବାଧିକ ୮୨ ଆର୍‌ଆଇ ପଦବି ଖାଲି ପଡ଼ିଥିବାବେଳେ ୧୦୭ ଏଆର୍‌ଆଇ ଓ ୯୦ଟି ଅମିନ ପଦବିଖାଲିପଡ଼ିଛି । ଗଞ୍ଜାମ ଜିଲ୍ଲାରେ ୭୩ ଆର୍‌ଆଇ, ୧୨୩ ଏଆର୍‌ଆଇ ଓ ୧୪୩ଟି ଅମିନ ପଦବି ଖାଲି ପଡ଼ିଥିବା ବେଳେ ବଲାଙ୍ଗିରରେ ୬୬ ଆର୍‌ଆଇ, ୪୭ ଏଆର୍‌ଆଇ ଓ ୬୬ଟି ଅମିନ ପଦବି ଖାଲି ପଡ଼ିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.