ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ମାନ୍ୟବର ବିଚାରପତି କୁନମୁନ ଆଜାରୀ ସହକାରୀ ଫୌଜଦାରୀ ଓ ବରିଷ୍ଠ ଦେୱାନି ଅଦାଲତ ଏଲ୍.ଆର୍.ଏଣ୍ଡ ଏଲ୍.ଟି.ଭି, ବଲାଙ୍ଗିର, ବଲାଙ୍ଗିର ସେସନ୍ସ୍ କେସ ନଂ.୭୬/୩୮ ସନ୍ ୧୯୯୫ ବିଚାର କରି ସାକ୍ଷ ମାନଙ୍କ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସୁଦାମ ବିଶ୍ୱାଳ ଓ ସହଯୋଗୀ ରତନ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରି ଭାରତୀୟ ଦଣ୍ଡ ସଂହିତା ୩୨୬ ଓ ୩୦୭ ଉଭୟଙ୍କୁ ଉଭୟ ଧାରାରେ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହିତ ଏକ ହଜାର ଟଙ୍କା ଲେଖାଏଁ ଜରିମାନା ଅନାଦେୟରେ ଅଧିକ ଦୁଇ ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ଭୋଗିବାକୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୂଚନାନୁସାରେ ଗତ ତା.୩୦.୦୬.୨୦୧୫ ମସିହାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଥାନା ଅଧିନସ୍ଥ ଗୁର୍ଜିଭଟା ଗ୍ରାମର ସୁଦାମ ବିଶ୍ୱାଳ ଓ ତାଙ୍କ ସଂପର୍କୀୟ ଭାଇ ରତନ ବିଶ୍ୱାଳ ମିଶି ଉକ୍ତ ଗ୍ରାମର ସଂଜୀବ ବିଶ୍ୱାଳଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଟାଙ୍ଗିଆ ଦ୍ୱାରା ଅତର୍କିତ ମାରାଣନ୍ତକ ଆକ୍ରମ କରି ହାଣି ଲହୁଲୁହାଣ କରି ଘଟଣାସ୍ଥଳରୁ ପଳାୟନ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ସଂଜୀବକୁ ଲୋଇସିଂହା ଥାନା ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ସ୍ୱାସ୍ଥ୍ୟ ସଂକଟାପୂର୍ଣ୍ଣ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । କ୍ଷତାକ୍ତ ସଂଜୀବଙ୍କ ଭାଇ ରଂଜିତ ବିଶ୍ୱାଳ ଆସି ଲୋଇସିଂହା ଥାନାରେ ଏତଲା ଦେଇଥିଲେ । ଉକ୍ତ ମକଦ୍ଦମା ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ବୈଷ୍ଣବ ଚରଣ ସାହୁ ପରିଚାଳନା କରିଥିଲେ ।