- ମଧ୍ୟପ୍ରଦେଶ ରାଇସେନରୁ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ହେଲା ଉଦ୍ଘାଟିତ
- ନିର୍ଭୁଲ ତଥ୍ୟ ସହିତ ସହରୀ ଭୂମିର ହେବ ସଠିକ ପରିଚୟ
- ଓଡିଶାର ୪ଟି ପୌରପାଳିକା ମଧ୍ୟରେ ବାରିପଦା ସହର ଯୋଜନାରେ ଅନ୍ତର୍ଭୁକ୍ତ
ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମଧ୍ୟପ୍ରଦେଶର ରାଇସେନ ଠାରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଭୂ-ସମ୍ବଳ ବିଭାଗ ଆନୁକୂଲ୍ୟରେ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକିକରଣ ବ୍ୟବସ୍ଥା ଅନ୍ତର୍ଗତ ପାଇଲଟ ଯୋଜନା “ନକ୍ସା”କୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ, ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଏହି ଅଭିନବ ପଦକ୍ଷେପକୁ ଚିହ୍ନିତ ତଥା ଜନଆଦୃତ କରିବା ଉଦେଶ୍ୟରେ ଆଜି ବାରିପଦା ପୌରପାଳିକା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ୱାବଧାନରେ ଏହି ଯୋଜନା ଶୁଭାରମ୍ଭର ଏକ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ଯୋଗ ଦେଇ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦାର ଅତିରିକ୍ତ ତହସିଲଦାର ଭରତ ଚନ୍ଦ୍ର ପାତ୍ର, ପୌରପାଳିକାର ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ପ୍ରମୁଖ ଯୋଗ ଦେଇଥିଲେ । ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ନଗରପାଳ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମକୁ ସଂଚାଳନ କରିବା ସହିତ ଏହି ଯୋଜନାର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ଏହି କାର୍ଯ୍ୟକ୍ରମର ପ୍ରମୁଖ ସୁବିଧା ଗୁଡିକ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖି ଏହି ଯୋଜନା ଆଗକୁ ଲୋକମାନଙ୍କ ପାଇଁ ନିଶ୍ଚିତ ଭାବେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ସୂଚନା ଥାଉକି ଏହି ଯୋଜନାରେ ପ୍ରମୁଖ ସୁବିଧା ଗୁଡିକ ମଧ୍ୟରେ ଅନଲାଇନ ମାଧ୍ୟମରେ ନିର୍ଭୁଲ ଜମି ରେକର୍ଡ ଉପଲବ୍ଧ, ସହରାଞ୍ଚଳ ଭୂମି ପରିଚାଳନାରେ ଉନ୍ନତି, ଜମି ଜମା ସଂକ୍ରାନ୍ତିୟ ପ୍ରକ୍ରିୟାକରଣରେ ଶୀଘ୍ରତା ଏବଂ ସ୍ୱଚ୍ଛତା, ଆଧୁନିକ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ବିଭିନ୍ନ ବର୍ଗର ସହରାଞ୍ଚଳ ପାଇଁ ପୃଥକ ପୃଥକ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଇ ଏରିଆଲ ସର୍ବେକ୍ଷଣ ମାଧ୍ୟମରେ ଶୀଘ୍ର ଏବଂ ସଠିକ ଡାଟା ସଂଗ୍ରହ କରି ଭବିଷ୍ୟତର ଯୋଜନା ପ୍ରସ୍ତୁତ, ଜମିଜମା ରେକର୍ଡକୁ ସଂଗଠିତ କରିବା, ପୁରାତନ ତଥା ଅସମ୍ପୂର୍ଣ୍ଣ ତଥ୍ୟ ଯୋଗୁଁ ସରକାରୀ ଦଲିଲ ଓ ଜମି ମାଲିକ ଦଲିଲ ମଧ୍ୟରେ ଦେଖାଦେଉଥିବା ବୈଷମ୍ୟକୁ ଦୂର କରିବା, ଜମିଜମା ପରିଚାଳନା ପାଇଁ ସମାନ ବ୍ୟବସ୍ଥା ପ୍ରଚଳନ, ଜମି ମାଲିକଙ୍କ ବିଭିନ୍ନ ସମସ୍ୟା ସହ ବେଆଇନ ଜବରଦଖଲ ଜନିତ ଦୀର୍ଘଦିନର ଅଦାଲତରେ ଚାଲିଥିବା ମାମଲା ଗୁଡିକୁ ସମାଧାନ ପାଇଁ ଏହା ସହାୟକ ହେବ । ଏତଦ ବ୍ୟତୀତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ସାଜୁଥିବା ସମସ୍ୟାକୁ ଦୂର କରିବା ସହିତ ସର୍ବୋପରି ଜମି ରେକର୍ଡ ସ୍ୱଚ୍ଛ, ସଠିକ ଏବଂ ସମସ୍ତଙ୍କୁ ଗୋଟିଏ ପ୍ଲାଟଫର୍ମରେ ସହଜରେ ଉପଲବ୍ଧ ହୋଇପାରିବ । ପ୍ରକାଶ ଥାଉକି ପ୍ରଥମ ପର୍ଯ୍ୟାୟରେ ଦେଶର ୧୫୦ଟି ସହରରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ଓଡିଶାର ୪ଟି ପୌରପାଳିକା ମଧ୍ୟରୁ ବାରିପଦା ପୌରପାଳିକା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀ, ପୌରପାଳିକାର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।