ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଉଷାଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବକଟି ଠାରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସିଆର୍ସିସି ବାବୁ ଲାଲ ସାହୁ ତଥା ସାଧନ ସଂଯୋଜକ ସ୍କୁଲର ପ୍ରଧାନ ଶିକ୍ଷକ ଦେବରାଜ ବାରିକଙ୍କ ଅଧ୍ୟକ୍ଷ ତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବା ସୂଚନାରୁ ପ୍ରକାଶ । ଉକ୍ତ କାର୍ଯ୍ୟକ୍ରମରେ ବକଟି ବଂଶୀଧର ମେମୋରିଆଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀବତ୍ସ ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ବକଟି କ୍ଲଷ୍ଟରର ୭ଟି ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜ ଦ୍ୱାରା ପ୍ରସ୍ତୁତ ମୌଳିକ ସାକ୍ଷରତା ତଥା ସଂଖ୍ୟା ଜ୍ଞାନ ବିଷୟରେ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ଗୁଡିକ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଛାତ୍ରଛାତ୍ରୀମାନେ ନିପୁଣ ଓଡିଶା ଗୀତ ବୋଲି ଛାତ୍ରଛାତ୍ରୀମାନେ ଛାତ୍ର ପ୍ରତିଜ୍ଞା କରିଥିଲେ । ପରେ ପରେ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ ଶିକ୍ଷଣୀୟ ସାମଗ୍ରୀ ଗୁଡିକ ବୁଲି ଦେଖିଥିଲେ । ପରିଶେଷରେ ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପ୍ରଶଂସା ପତ୍ର ପ୍ରଦାନ କରି ସଭା ସାଙ୍ଗ ହୋଇଥିବା ସୂଚନାରୁ ପ୍ରକାଶ ।