ଜୟପାଟଣାରେ ନିରାପଦ ମାତୃତ୍ଵକୁ ନେଇ ପ୍ରଶ୍ନବାଚୀ ?

ଜୟପାଟଣା, (ଶେଷଦେବ ବେହେରା ) : ବିଭିନ୍ନ ସମୟରେ ଜୟପାଟଣା ଅଞ୍ଚଳରେ ନିରାପଦ ମାତୃତ୍ଵକୁ ନେଇ ପ୍ରଶ୍ନ ଉଠୁ ଥିବା ବେଳେ ଶନିବାର ପୂର୍ବାହ୍ନରେ ପୁଣି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ଧନ୍‌ସୁଲି ପଞ୍ଚାୟତର ପାହାଡ଼ ଶିଖରରେ ଅବସ୍ଥିତ ସୀମାନ୍ତ ଗାଁରେ ରହି ଆସିଥିବା ଏକ ପ୍ରସୂତିକୁ ଖଟିଆରେ ବୋହି ଆଣିବା ଓ ଘାଟି ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଘଟଣା ପୁଣି ଥରେ ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଛି । ଏଠାରେ ସରକାରଙ୍କ ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ ହେଉଛି । ଅଭିଯୋଗକାରୀଙ୍କ ମତରେ ଶନିବାର ପୂର୍ବାହ୍ନରେ ନଳାଚୁଆଁ ଗ୍ରାମର କାନ୍ଦରୁ ଜାନିଙ୍କ ସ୍ତ୍ରୀ ଦର୍ବାଇ ଯାନିଙ୍କ ପ୍ରଥମ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଦୁର୍ଗମ ଅଞ୍ଚଳରେ ରହିଥିବା ଏହି ଗାଁକୁ ସ୍ଥାୟୀ ସଡ଼କ ବ୍ୟବସ୍ଥା ନ ଥିବାରୁ ଆମ୍ବୁଲାନ୍ସ ଆସିବା ତ ଦୂରର କଥା, କର୍ଣ୍ଣପାତ ମଧ୍ୟ କେହି କରି ନ ଥିଲେ । ପ୍ରସୂତିକୁ ଡାକ୍ତର ଖାନା ନେବାରେ ସାଧନର ଅଭାବ ହେବାରୁ ପରିଶେଷରେ ଏକ ଖଟିଆରେ ବୋହି ଘାଟି ତଳକୁ ଅଣା ଯାଇଥିଲା । ସେହି ଘାଟି ତଳେ ଆମ୍ବୁଲାନ୍ସକୁ ଅପେକ୍ଷା କରି କରି ସେହି ଖଟିଆରେ ହିଁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲା । ଶେଷରେ ଏକ ଘରୋଇ ବୋଲେରୋରେ ଧନସୁଲି ପ୍ରାଥମିକ ଡାକ୍ତରଖାନାକୁ ପରିବାର ଲୋକେ ସ୍ଥାନାନ୍ତର କରିଥିଲେ । ପୂର୍ବରୁ ମଧ୍ୟ ଅନେକ ପ୍ରସୂତିଙ୍କୁ ଖଟିଆରେ ବୁହାହୋଇ ଡାକ୍ତର ଖାନାକୁ ନିଆଯାଇଥିବା ଘଟଣା ଲୋକଙ୍କ ମୁହଁରେ ଜମାଟ ବାନ୍ଧି ରହିଥିବା ବେଳେ ପୁଣି ଏକ ସଦ୍ୟ ଘଟଣା ପ୍ରଶାସନର କାର୍ଯ୍ୟ ଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରଶାସନର ସଂଯୋଗ ବ୍ୟବସ୍ଥା ଅଦ୍ୟାବଧି ମରୀଚିକା ହୋଇ ଆସୁଥିବା ବେଳେ ପାହାଡି ଗାଁ ନଳାଚୂଆଁର ବିକାଶ କେବେ ହେବା ତାହା ଏବେ ଆଲୋଚନାର ବିଷୟ ହୋଇଛି ।

Leave A Reply

Your email address will not be published.