ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ୧୧ଟି ବ୍ଲକ ଓ ୫ଟି ସହରାଞ୍ଚଳରେ ଚଳିତ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ଜିଲ୍ଲାର ୧୩ ଲକ୍ଷ ୪୯ ହଜାର ୪୧ଜଣଙ୍କୁ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଔଷଧ ପ୍ରଦାନ କରାଯିବ । ଏଥି ସକାଶେ ୪୧୮୩ ଜଣ ଔଷଧ ପ୍ରଦାନକାରୀ ଓ ୨୦୮୭ ସ୍ୱାସ୍ଥ୍ୟକର୍ମୀ ଏବଂ ୪୧୦ ଜଣ ସୁପରଭାଇଜର ଏବଂ ୭୬ ଜଣ ମୋବାଇଲ ଦଳଙ୍କୁ ନିୟୋଜିତ କରାଯାଇଛି । ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ନିଜ ତତ୍ତ୍ୱାବଧାନରେ ନିଜ ସମ୍ମୁଖରେ ଔଷଧ ଖୁଆଇବେ । ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ ଓ ଗୁରୁତର ରୋଗୀଙ୍କୁ ଏହି ବଟିକା ଦିଆଯିବ ନାହିଁ । ଡି.ଇ.ସି ବଟିକା, ଅଲବେନଡଜୋଲ ଓ ଇଭରମେକଟିନ ବଟିକା ନିୟୋଜିତ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ପରିବାରର ସଦସ୍ୟ ସଦସ୍ୟାମାନଙ୍କୁ ବୟସ ଅନୁସାରେ ଏହି ବଟିକା ଖୁଆଇବେ । ଏହି ଔଷଧ ସେବନ ଦ୍ଵାରା ଶରୀର ଭିତରେ ଥିବା ମାଇକ୍ରୋ ଫାଇଲେରିଆ ପରଭୋଜୀ ସମ୍ପୂର୍ଣ ଭାବେ ମରିଯାଆନ୍ତି ଏବଂ ବଡ ପାରାସାଇଟମାନେ ନିସ୍ତେଜ ହୋଇଯାଆନ୍ତି ତଥା ଲୋକମାନେ ଭବିଷ୍ୟତରେ ଫାଇଲେରିଆ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରନ୍ତି ଏବଂ ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଅଟେ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଥିଲେ । ଏ ସମ୍ପର୍କରେ ଜିଲ୍ଲାରେ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ପ୍ରଦାନ, ରାତ୍ରିକାଳୀନ ରକ୍ତ ନମୁନା ସର୍ଭେ, ବ୍ଲକସ୍ତରୀୟ ସମନ୍ଵୟ ବୈଠକ ଏବଂ ମାଇକ୍ରୋପ୍ଲାନ ସମ୍ପୂର୍ଣ୍ଣ ହୋଇଯାଇଛି ବୋଲି ସେ ସୂଚନା ଦେଇଥିଲେ । ସଚେତନତା ନିମନ୍ତେ ଏ ସମ୍ପର୍କିତ ଲିଫଳେଟ ବଣ୍ଟନ ଓ ବିଦ୍ୟାଳୟ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସୁରେଶ ସ୍ଵାଇଁଙ୍କ ସମେତ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ ।