ବାରିପଦା ଉପଖଣ୍ଡରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

  • ମୋଟ ୨୦୨ଟି ଅଭିଯୋଗର ହେଲା ଶୁଣାଣି

ବାରିପଦା, (ଦେବସ୍ମିତ ଚୌଦୁରୀ) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଯୁଗ୍ମ ଜନଶୁଣାଣୀ ବୈଠକରେ ଯୋଗଦାନ କରି ବାରିପଦା ଉପଖଣ୍ଡର ୧୦ଟି ବ୍ଲକ ଏବଂ ସଦରମହକୁମାର ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି । ଏହି ଜନ ଶୁଣାଣୀ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରଭାତ କୁମାର ବେହେରା ଓ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବାରିପଦା ଉପଖଣ୍ଡର ଉପଖଣ୍ଡ ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଶୁଣାଣୀରେ ବାରିପଦା ଉପଖଣ୍ଡର ସର୍ବମୋଟ ୨୦୨ଟି ଅଭିଯୋଗ ପତ୍ର ଶୁଣାଣୀ ପାଇଁ ଗ୍ରହଣ ହୋଇଥିଲା । ଏ ସମସ୍ତ ଅଭିଯୋଗମାନଙ୍କ ମଧ୍ୟରେ ମୁଖ୍ୟତଃ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଜମି ସୀମାଙ୍କନ, ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ ସ୍ୱାସ୍ଥ୍ୟଗତ ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ସମ୍ଭନ୍ଧୀୟ ଆପତ୍ତି ଅଭିଯୋଗ ୠୁଡ଼ିକ ଥିଲା । ଉକ୍ତ ୨୦୨ଟି ଅଭିଯୋଗ ମଧ୍ୟରୁ ୧୭୩ଟି ବ୍ୟକ୍ତିଗତ ସମସ୍ୟା ସମ୍ଭନ୍ଧିତ ଥିବା ବେଳେ ୨୯ଟି ସାମୁହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ଜନ ଅଭିଯୋଗ ଶୁଣାଣୀରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.