ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ସ୍ୱତନ୍ତ୍ର ସ୍ୱାମୀତ୍ୱ ଯୋଜନାର ଇ-ସମ୍ପତି କାର୍ଡ ବିତରଣର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଭାରତର ୫୦ ହଜାର ଗ୍ରାମରୁ ୬୫ ଲକ୍ଷ ହିତାଧିକାରୀ ସମ୍ପତି କାର୍ଡ ପାଇବେ । ରାୟଗଡ ଜିଲ୍ଲାରେ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶା ସୁରେଶ ପୂଝାରୀ, ରାୟଗଡ଼ା ବିଧାୟକ କାଡ୍ରକା ଆପଲସ୍ୱାମୀ, ବିଷମ କଟକ ବିଧାୟକ ନୀଳମାଧ । ହିକକା ଓ ଜିଲ୍ଲାପାଳ ରାୟଗଡ଼ା ଶ୍ରୀମତୀ ପାରୁଲ ପଟାୱରୀଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଇ-ସମ୍ପତି କାର୍ଡ ପ୍ରଦାନ କରିଛନ୍ତି । ରାୟଗଡା ଜିଲ୍ଲା ଅନ୍ତର୍ଗତ ରାୟଗଡ ତହସିଲ ଅଧୀନରେ ୨୧୨ଜଣ ଓ କୋଲନରା ତହସିଲରୁ ୩୦ଜଣ ଜିଲ୍ଲାର ସର୍ବମୋଟ ୨୪୨ଜଣ ହିତାଧିକାରୀ ସମ୍ପତି ପତ୍ର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଭାଷଣରେ କହିଲେ ଯେ ୨୦୨୦ ମସିହା ଏପ୍ରିଲ ୨୯ ତାରିଖ ଜାତୀୟ ପଞ୍ଚାୟତ ଦିବସରେ ପ୍ରଧାନମନ୍ତ୍ରୀ ଏହି ଯୁଗାନ୍ତକାରୀ ସ୍ୱାମୀତ୍ୱ ଯୋଜନା ବିଷୟରେ ବୁଝାଇଥିଲେ । ସ୍ୱାମୀତ୍ୱ ମାନେ ଜାଣୁ, ଯେ କୌଣସି ସମ୍ପତ୍ତି କିମ୍ବା ସାଧନ ଉପରେ ଅଧିକାର ଜାହିର କରିବା, ଅର୍ଥାତ ସଂଶାଧନ ଉପରେ ଆଇନ ଅନୁଯାୟୀ ମାଲିକାନାସତ୍ତ୍ଵ । ଏହି ବୈପ୍ଳବିକ ପଦକ୍ଷେପ ହେଉଛି ସ୍ୱାମୀତ୍ୱ । ଜମିଜମା ରେକର୍ଡର ଡିଜିଟାଇଜେସନ ମାଧ୍ୟମରେ ସ୍ପଷ୍ଟ ସମ୍ପତ୍ତି ଅଧିକାର ପ୍ରଦାନ ଏହାର ଆଭିମୁଖ୍ୟ । ଡ୍ରୋନ ସର୍ଭେ ଦ୍ୱାରା ଉଚ୍ଚମାନର ଫଟୋ ଉଠାଯାଇପାରୁଥିବା ଯୋଗୁଁ ଲୋକମାନଙ୍କର ଘରଦ୍ୱାର ବା ସମ୍ପତ୍ତିର ନିର୍ଭୁଲ ଏବଂ ଦୀର୍ଘସ୍ଥାୟୀ ସମ୍ପତ୍ତି ପତ୍ର ପ୍ରସ୍ତୁତ ହୋଇପାରୁଛି ।
Prev Post