ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସନାତନ ଜାଗରଣ ମଞ୍ଚ ଓ ସ୍ମାଇଲ୍ ଫରେଭର ଫାଉଣ୍ଡେସନ୍ର ସହଯୋଗରେ ଶ୍ରୀରାମ ମନ୍ଦିର, ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷିକୀର ଶୁଭ ଅବସରରେ ବିଶ୍ୱର ସବୁଠୁ ବଡ଼ ଲଡ୍ଡୁ ତିଆରି କରାଯିବ । ଏନେଇ ସ୍ଥାନୀୟ ମେ ଫାୟାର ଭିଲେଜ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଗତକାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ମାଇଲ ଫାଉଣ୍ଡେସନର ମୁଖ୍ୟ ସନ୍ତୋଷ ବିଶ୍ୱାଳ ସୂଚନା ଦେଇ କହିଲେ ଯେ, ଏହି ଅଭୁତପୂର୍ବ ପ୍ରଥମ କାର୍ଯ୍ୟକ୍ରମରେ ୨୪ ଟନ୍ ଓଜନର ଲଡ୍ଡୁ ତିଆରି ହେବ, ଯାହା ଏବେର ୮,୦୦୦ କିଲୋର ଲଡ୍ଡୁର ବର୍ତ୍ତମାନ ରେକଡର଼୍କୁ ଭାଙ୍ଗିବ । ଏହି ମହା ଲଡ୍ଡୁ ସନାତନୀ ସମ୍ପ୍ରଦାୟର ଏକତା, ଆସ୍ଥା ଓ ସଂସ୍କୃତିକ ଗର୍ବର ପ୍ରତୀକ ହେବ ବୋଲି ସେ କହିଥିଲେ । ଏହା ରାଉରକେଲାର ଜାତୀୟ ଓ ଆନ୍ତର୍ଜାତୀୟ ଗୌରବକୁ ପ୍ରତିଷ୍ଠା କରିବ । ଏହି ଭବ୍ୟ ଆୟୋଜନ ସହରର ସମୃଦ୍ଧ ପରମ୍ପରାକୁ ଉଜାଗର କରି ଏକତା ଓ ଆସ୍ଥାର ଉତ୍ସବ ପାଇଁ ଅଞ୍ଚଳର ଲୋକମାନଙ୍କୁ ଏକତ୍ର କରିବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ହରିହର ରାଉତରାୟ, ମୋନାଲିସା ଲାକ୍ରାଙ୍କ ସମେତ ଲଡ୍ଡୁ ପ୍ରସ୍ତୁତକାରୀ ମିସ୍ତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସେମାନେ ଅଧିକ ସୂଚନା ଦେଇ କହିଲେ ଯେ, ଆସନ୍ତା ୨୨ ତାରିଖରେ ଏକ ଭବ୍ୟ ରାଲି ଆୟୋଜିତ ହେବ । ଏଥିରେ ଏକ ୬ କିମି ଲମ୍ବା ତ୍ରିରଙ୍ଗା ଦେଖାଯିବ । ଏହି ରାଲି ମେଫେୟାର୍ ୱାର୍ଲ୍ଡ୍ କପ୍ ଭିଲେଜ୍ରୁ ଆରମ୍ଭ ହୋଇ ହନୁମାନ ବାଟିକା ଦେଇ ସେକ୍ଟର ୮ ସାଇ ମନ୍ଦିରରେ ସମାପ୍ତ ହେବ । ଲଡ୍ଡୁ ତିଆରି ସମୟରେ ଉଚ୍ଚତମ ଖାଦ୍ୟ ସୁରକ୍ଷା ମାନକ ଅନୁସରଣ କରାଯିବ । କାର୍ଯ୍ୟକ୍ରମର ନେତୃତ୍ୱ ନେବେ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ । ଏଥିପାଇଁ ଆୟୋଜିତ କମିଟିରେ ଉପାଧ୍ୟକ୍ଷ ରାଜେଶ ରାୟ, ସଚିବ ଭାବେ ଅରୁଣ ପୁହାଣ, ଯୁଗ୍ମ ସଚିବ ଦିବ୍ୟ ଲିଟୁ ବୋହିଦାର, ମିଡିଆ ସମ୍ପର୍କ ଅଧିକାରୀ ମୋନାଲିସା ଲାକ୍ରା ରହିଛନ୍ତି । ଏହି କମିଟିରେ ଅଧ୍ୟକ୍ଷ ଦାୟିତ୍ୱରେ ଦିଲ୍ଲୀପ ରାୟ ରହିଥିବା ବେଳେ ପରାମର୍ଶଦାତା ଭାବେ ହରିହର ରାଉତରେ, ଆର୍ଯ୍ୟ ପଟ୍ନାୟକ, ସୁଭୋ ପଟ୍ଟନାୟକ, ସାଂସ୍କୃତିକ ସମନ୍ୱୟକାରୀ ଭାବେ ମୁସ୍କାନ ଓ ତନୁଶ୍ରୀ ରହିଥିବା ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହରବାସୀ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।
Prev Post