ଟିଟିଲାଗଡ଼ ଭାରତ ବିକାଶ ପରିଷଦ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ସାରାଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଭାରତ ବିକାଶ ପରିଷଦର ସଭାପତି ଜୟ ପ୍ରକାଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ମୁଖ୍ୟବକ୍ତା ଭାବେ ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ବନ୍ଦନା କର, ସମ୍ମାନିତ ଅତିଥି ଭାବେ ଭାରତ ବିକାଶ ପରିଷଦର ଓଡ଼ିଶା ପଶ୍ଚିମ ପ୍ରାନ୍ତ ଉପ ସଭାପତି ଡ. ଛାୟାକାନ୍ତ ଷଡ଼ଙ୍ଗୀ, ସମ୍ପାଦକ ପ୍ରମୋଦ କୁମାର ପାଲ ମଞ୍ଚାସୀନ ରହିଥିଲେ । ପ୍ରଥମେ ଭାରତମାତାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାର ପ୍ରାରମ୍ଭରେ ଭାରତ ବିକାଶ ପରିଷଦର ବରିଷ୍ଠ ସଦସ୍ୟ ରାଜୀବ ଲୋଚନ ପାଢ଼ୀ ଭାରତ ବିକାଶ ପରିଷଦର ମୂଳ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀମତୀ କର ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚନ୍ଦ୍ରକାର ଯୁବପିଢ଼ିକୁ ସ୍ୱାମୀ ବିବେକାନନ୍ଦଙ୍କ ବ୍ୟକ୍ତିତ୍ୱକୁ ଅନୁସରଣ କରି ସମାଜ ପାଇଁ କିଛି କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଡ. ଷଡଙ୍ଗୀ ଆଜିର ଯୁବପିଢ଼ିକୁ ନିଜର ଚରିତ୍ର ଗଠନ କରିବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ । ଏହି ଅବସରରେ ଭାରତ ବିକାଶ ପରିଷଦ ପକ୍ଷରୁ ପୂର୍ବରୁ ଆୟୋଜନ କରାଯାଇଥିବା ସାଧାରଣ ଜ୍ଞାନ, ଜାତୀୟ ଗାନ ଓ ଆଞ୍ଚଳିକ ସଙ୍ଗୀତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଥିବା ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପରିଷଦର ଜଗନ୍ନାଥ ପଣ୍ଡା, ଡ. ଘନଶ୍ୟାମ ଜୈନ, ସେବକ ଚରଣ ଦାସ, କିଶୋର ମହାପାତ୍ର, ଅଖିଳ ପଣ୍ଡା, ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ପୁରାତନ ସଦସ୍ୟ ଆର୍ତ୍ତତ୍ରାଣ ରଥଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ । ଶେଷରେ ବ୍ରହ୍ମାନନ୍ଦ ପୁହାଣ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.