csstore

ନଅଗାଁ(ଖ)ର ବୁଢାଦେଓ ମହୋତ୍ସବ ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପବିତ୍ର ବୁଢାଦେଓ ଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ନଅଗାଁ(ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର, ବୁଢାଦେଓ କମିଟି ତଥା ଗ୍ରାମବାସୀଙ୍କ ତରଫରୁ ଦୁଇଦିନ ଧରି ଆୟୋଜିତ ହୋଇଥିବା ବୁଢାଦେଓ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବର ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଆଗଲପୁର ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ, ନଅଗାଁ (ଖ) ସରପଞ୍ଚ ବୃନ୍ଦାବନ ସେଠ, ସମିତି ସଭ୍ୟ ଦେବଦତ୍ତ ଦଣ୍ଡସେନା ପ୍ରମୁଖ ଯୋଗଦେଇ ଆଦିବାସୀଙ୍କ ପାରମ୍ପରିକ ପର୍ବ ଉପରେ ଆଲୋକପାତ କରିଥିଲେ । ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ତଥା ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନମୋହନ ପଟେଲ, ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି, ଶିକ୍ଷାବିତ୍ ଲଳିତ ମୋହନ ସାହୁ, ଦାମୋଦର ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ । ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅତିଥିଙ୍କ ଦ୍ଵାରା ବୁଢ଼ାଦେଓଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ସୁଧୀର ପୁଟେଲ, ସାମ୍ବାଦିକ ବିମଳେନ୍ଦୁ ସାହୁ, ସାମ୍ବାଦିକ ସୁଶାନ୍ତ ମହାକୁରଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏଥିସହିତ ଗଣ୍ଡ ସମ୍ପ୍ରଦାୟର ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପରିଶେଷରେ ରାଉରକେଲା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ନଅଗାଁର ନୃତ୍ୟଦଳ ଗୁଡ଼ିକ ଦ୍ୱାରା “ରାଧା ମାଜିଷ୍ଟ୍ରେଟ, କୃଷ୍ଣ ମୁଦାଲା” ପରିବେଷିତ ହୋଇଥିଲା । ଏଥିସହିତ ପଲ୍ଲୀ ଆଲୋକ ପାଠାଗାରର କଳାକାର ମାନଙ୍କ ଦ୍ୱାରା ପରିବେଷିତ ତଥା ନାଟ୍ୟଗୁରୁ ଟଙ୍କଧର ସାହୁଙ୍କ ନିର୍ଦ୍ଦେଶିତ ଓ ଦିଲିପ ସାହୁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପରିବେଷିତ ସାମାଜିକ ନାଟକ “ଲୁହରେ ଲେଖା ମୋ କପାଳ ରେଖା” ମଞ୍ଚସ୍ଥ ହୋଇଥିଲା । ଶତାଧିକ ଜନସାଧାରଣ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

jayashree
Leave A Reply

Your email address will not be published.