ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ରତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜି.ଏନ୍ ମଲ୍ଲିକ, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଦୀପ ସାହୁଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗର ଅଧିକାରୀ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ମକର୍ତ୍ତା ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ସ୍ୱତନ୍ତ୍ରତା ଦିବସ ଦିନ ପ୍ରାତଃ ୪ ଘଟିକା ସମୟରେ ରାମଧୁନ ,ସକାଳ ୬ରୁ ୭ ଘଟିକା ମଧ୍ୟରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରି, ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ, ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ସକାଳ ୮:୩୦ ସମୟରେ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଆନୁଷ୍ଠାନିକ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ରତା ଦିବସ ପାଳନ କରାଯିବ । ଦିବସର ମୁଖ୍ୟ ଅତିଥି ଆନୁଷ୍ଠାନିକ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିବେ । ସମ୍ମିଳିତ ପ୍ୟାରେଡ୍ରେ ହୋମ ଗାର୍ଡ, ଏନ୍.ସି.ସି, ସ୍କାଉଟ, ଗାଇଡ, ରେଡକ୍ରସ୍ ଓ ସିଭିଲିଆନ ଦଳ ଅଂଶ ଗ୍ରହଣ କରିବେ । ସ୍ୱତନ୍ତ୍ରତା ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ ,ସ୍ଵାଧୀନତା ସଂଗ୍ରାମୀ ବେଶ, ଓଡିଆ, ଇଂରାଜୀ ପ୍ରବନ୍ଧ ଓ ବକ୍ତୃତା, ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦ୍ବ୍ୟତୀତ ସ୍ୱତନ୍ତ୍ରତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲାକୁ ଗର୍ବାନ୍ଵିତ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ । ପ୍ୟାରେଡ୍ ଉତ୍ସବ ପରେ ଜିଲ୍ଲା କାରାଗାରର ଅନ୍ତେବାସୀ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ ସହ ପୁଇଁତଳା ସ୍ଥିତ କୁଷ୍ଠ କଲୋନୀ ଅନ୍ତେବାସୀଙ୍କୁ ବସ୍ତ୍ର ବଣ୍ଟନ କରାଯିବ । ବୈଠକ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।