ବରିଷ୍ଠ ସମାଜସେବୀ ତଥା ବାଲକୋ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଅ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଗୋବର୍ଦ୍ଧନ ଜଗତଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତର ବାଦିବାହାଲ ଗ୍ରାମର ଜଣେ ବରିଷ୍ଠ ସମାଜସେବୀ ତଥା ବାଲକୋ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଅ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଗୋବର୍ଦ୍ଧନ ଜଗତଙ୍କ (୮୦) ଗତକାଲି ନିଜ ବାସଭବନ ବାଦିବାହାଲରେ ପରଲୋକ ହୋଇଯାଇଛି । ସେ ଜଣେ ଭଦ୍ର ଓ ଆମାୟିକ ବ୍ୟକ୍ତି ଭାବରେ ସୁପରିଚିତ ଥିଲେ । ତାଙ୍କ ପ୍ରକୃତ ଘର ମାଣ୍ଡୋସିଲ କିନ୍ତୁ ବହୁତ ବର୍ଷ ହେବ ବାଦିବାହାଲ ଗ୍ରାମରେ ସେ ନିଜ ପରିବାର ସହିତ ରହୁଥିଲେ । ସେ ବାଦିବାହାଲ ଗ୍ରାମରେ ୩ ଥର ୱାର୍ଡ ମେମ୍ବର ଓ ଗୋଟିଏ ଥର ବରତୁଣ୍ଡା ପଞ୍ଚାୟତର ନାଏବ ସରପଞ୍ଚ ଥିଲେ । ସ୍ୱର୍ଗତ ଗୋବର୍ଦ୍ଧନ ଜଗତ ମାଣ୍ଡୋସିଲ ଗ୍ରାମ ଯୁବନେତା ଲଳିତ ଜଗତଙ୍କ ମଝିଆ ଅଜା ଥିଲେ । ତାଙ୍କ ପଛରେ ତାଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ ସହିତ ୪ଟି ନାତି ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କ ପରିବାରର ପଞ୍ଚନ ଜଗତ, ଟିକେଚନ ଜଗତ, ମୋହନ ଜଗତ, ଲଳିତ ଜଗତ, ନୀଳମଣି ଜଗତ, ବିରେନ୍ଦ୍ର ଜଗତ ଓ ଗ୍ରାମର ଭଦ୍ର ବ୍ୟକ୍ତି ତଥା ସମାଜ ଭାଇଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖଦ ଘଟଣାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।