ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ତଦନ୍ତ ମାମଲାରେ ହାଇକୋର୍ଟ ପକ୍ଷରୁ ପୁଣି ଦିଆଗଲା ସମ୍ପୂର୍ଣ ତଥ୍ୟ : ହାଇକୋର୍ଟ ମନିଟରିଂ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ଅଗ୍ରାହ୍ୟ କରାଯାଇଥିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ସମ୍ପୂର୍ଣ ତଥ୍ୟ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଜନ ସୂଚନା ଅଧିକାରୀ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ହାଇକୋର୍ଟର ଜନ ସୂଚନା ଅଧିକାରୀ ତଥା ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ବି.ଦାଶ ଚିଠି ନଂ ଆରଟିଅଇ-୧୩/୨୦୨୦/୬୯୬- ତା୧୬/୦୧/୨୦୨୧ ଯୋଗେ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ଆଉ ଏକ ସୂଚନା ପୂର୍ବ ସୂଚନା ରେଫରେନ୍ସରେ ପ୍ରଦାନ କରି ଜଣାଇଛନ୍ତି ଯେ, ଜଣେ କାର୍ୟ୍ୟରତ ମାନ୍ୟବର ବିଚାରପତିଙ୍କ ମନିଟରିଂରେ ଏସଆଇଟି ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦ‌ତ୍ତ ନିବେଦନକୁ ମାନ୍ୟବର କୋର୍ଟ ଗତ ୧ ଡିସେମ୍ବର ୨୦୨୦ ଦିନ ଅଗ୍ରାହ୍ୟ କରି ରାଜ୍ୟ ସରକାରଙ୍କୁ ଜଣାଇ ଦେଇଥିବା ସୂଚନା ପ୍ରଦାନ କରାଯାଇଛି । ମାନ୍ୟବର କୋର୍ଟ ରାଜ୍ୟ ସରକାରଙ୍କ ନିବେଦନକୁ ଅଗ୍ରାହ୍ୟ କରିବା ଘଟଣାକୁ ଦୀର୍ଘ ଦେଢ ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ପର୍ଶକାତର ତଥ୍ୟକୁ ସାର୍ବଜନୀନ କରାଯାଇ ନାହିଁ । ଆଜି ଏହି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଅସିବା ପରେ ନୂଆ ତଥ୍ୟ ଜଣାପଡିଛି ଏବଂ ହାଇକୋର୍ଟ ମନିଟରିଂ ଏସଆଇଟିକୁ ନେଇ ରହିଥିବା ରାଜ୍ୟବ୍ୟାପୀ ଦ୍ୱନ୍ଦର ଅବସାନ ଘଟିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ତଦନ୍ତରତ ଏସଅଇଟି କୋର୍ଟ ମନିଟର୍ଡ ନୁହେଁ ବୋଲି ‌ସ୍ପଷ୍ଟ ହୋଇଥିବା ଜଣାପଡିଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ନିବେଦନ ମାନ୍ୟବର କୋର୍ଟଙ୍କ ଦ୍ୱାରା ଅଗ୍ରାହ୍ୟ ହେଲା ପରେ ରାଜ୍ୟ ସରକାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସୁପାରିଶ କରିପାରିଥାନ୍ତେ, କିନ୍ତୁ ଏହା କରାଯାଇ ନାହିଁ ବୋଲି ପଣ୍ଡା ଅଭିଯୋଗ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ୬/୧/୨୧ ଦିନ ହାଇକୋର୍ଟ ଜନ ସୂଚନା ଅଧିକାରୀ ପଣ୍ଡାଙ୍କୁ ଦେଇଥିବା ତଥ୍ୟରୁ ଜଣାପଡିଥିଲା ଯେ, ହାଇକୋର୍ଟ ମନିଟରିଂ ତଦନ୍ତ ପାଇଁ ରାଜ୍ୟ ସରକାର ପ୍ରଦାନ କରିଥିବା ଅନୁରୋଧ ପତ୍ର ମାନ୍ୟବର ହାଇକୋର୍ଟ ପାଇ ନଥିବା ଉଲ୍ଲେଖ ଥିଲା । କିନ୍ତୁ ସରକାରଙ୍କ ଏ ସମ୍ପର୍କରେ ସରକାରଙ୍କ ନିବେଦନକୁ ମାନ୍ୟବର କୋର୍ଟ ଅଗ୍ରାହ୍ୟ କରି ସରକାରଙ୍କୁ ଜଣାଇ ଦେଇଥିବା କଥା ନୂତନ ତଥ୍ୟରୁ ଜଣାପଡିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.

error: Content is protected !!