ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ଼ ସହର ବଢିବାକୁ ଲାଗିଛି । ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ ଓ ଅସୁବିଧା ସମୟରେ ଅତି ଶୀଘ୍ର ଉପସ୍ଥିତ ରହିବା ପୋଲିସ ପ୍ରଶାସନ ପାଇଁ ନିତ୍ୟାନ୍ତ ଆବଶ୍ୟକ । ସହରର ଜନସଂଖ୍ୟା ୬୦ ହଜାରରୁ ଅଧିକ ହୋଇସାରିଛି । ଅପର ପକ୍ଷରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ହେଉ କି କିଛି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନକୁ ଆହୁରି ଦୁଇଟି ପିସିଆର୍ ଭ୍ୟାନ ନିତାନ୍ତ ଜରୁରୀ ଅଟେ । ତା’ସହ ଦୁର୍ଘଟଣା ଘଟିବା ପରେ ୧୧୨ ଭଳି ଭ୍ୟାନ ଦରକାର ପଡୁଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ କଂଗ୍ରେସ କର୍ମୀଙ୍କ ସହ ମିଶି ଏସ୍ଡିପିଓଙ୍କ ଅନୁପସ୍ଥିତିରେ ଟିଟିଲାଗଡ଼ ଥାନାଧିକାରୀ ବିଶ୍ୱଜିତ ମନବୋଧଙ୍କୁ ଆଇଜିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଶତାଧି କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।