ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଜିଲ୍ଲା ସଂସ୍କୃତି ଭବନରେ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡ଼ି.ଏସ୍.ଆର୍. ଡ୍ୟାନ୍ସ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ତଥା ଶୀତକାଳୀନ ଧମକା ରବିବାର ଆୟୋଜିତ ହେଇଯାଇଛି । ଅନୁଷ୍ଠାନର ମୁଖ୍ୟ ଏମ୍.ରବୀନ୍ଦ୍ର ରେଡ୍ଡୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ରୂପେ ସ୍ଵନାମଧନ୍ୟ କଣ୍ଠଶିଳ୍ପୀ ଗୁରୁ ଗଣେଶ ପଟ୍ଟନାୟକ, ଯୁବ ସମାଜସେବୀ ସୟେଦ ମୁକ୍ତାର , ଅନ୍ତର୍ଜାତୀୟସ୍ତରୀୟ ଓଡିଶୀ ନୃତ୍ୟ ଶିଳ୍ପୀ ଗୁରୁ ଅଳକା ସାହୁ, ଅଭିନୟ ନୃତ୍ୟଶିଳ୍ପୀ କଳାକାର ରାମେଶ୍ଵର ପଣ୍ଡା, କାରମେଲ ସିନିଅର ସେକେଣ୍ଡାରୀ ସ୍କୁଲର ପ୍ରିନ୍ସପାଲ ସିଷ୍ଟର ଡ଼ୋରେଟ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ କଳାକାର ମାନଙ୍କୁ ଅନୁପ୍ରାଣିତ ଓ ଉତ୍ସାହିତ କରିଥିଲେ । ମୁଖ୍ୟ ଆକର୍ଷଣ ଭାବେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ତଥା ଗ୍ଲୋବାଲ ଆଇକନ ଟି.କ୍ରିଷ୍ଣା ମୋହନ ରେଡ୍ଡୀ ଯୋଗଦେଇ ଅନୁଷ୍ଠାନର କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ମୁଖ୍ୟ ତଥା ନୃତ୍ୟ ନିର୍ଦ୍ଧେଶକ ଏମ୍.ରବୀନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶନାରେ କାଠ ପାଦରେ ଶିବ-ତାଣ୍ଡବ ନୃତ୍ୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୀତର ତାଳେ ତାଳେ ଚିତାକର୍ଷକ ନୃତ୍ୟ ପରିବେଷଣ କରିବା ସହ ପରେ ପରେ କୁନି କୁନି ପିଲା ଏବଂ ସୁପର ମମ୍ଙ୍କ ଆଧୁନିକ ନୃତ୍ୟ, ରାମେଶ୍ଵର ପଣ୍ଡା ଏବଂ ପ୍ରଶାନ୍ତ କୁମାର ପଟ୍ଟନାୟକ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଗୀତରେ ନୃତ୍ୟ ଆକର୍ଷିତ କରିଥିଲା । ଯୁବ ଓଡିଶୀ ନୃତ୍ୟ ଶିଳ୍ପୀ ସୁରଜ କୁମାର ସାହୁ ଏବଂ ଯୋଡିଶଙ୍ଖ-ରଣପା ନୃତ୍ୟ ଶିଳ୍ପୀ ପବିତ୍ର ମହାପାତ୍ର, କାଠ ପାଦ ନୃତ୍ୟ ଗୁରୁ ସମୀର ବେହେରା, ଆଧୁନିକ ନୃତ୍ୟ ଶିଳ୍ପୀ ଅମୂଲ୍ୟ ବାଙ୍ଗାରୀ ଏବଂ ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସଂଘର ସମ୍ପାଦକ ଜୀବନ କୁମାର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ସାର୍ଟିଫିକେଟ ତଥା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ତଥା ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସଂଘର ଉପ-ସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ଜୀବନ କୁମାର ମହାରଣା, ଲକ୍ଷ୍ମୀ ନୃସିଂହ ଆଚାର୍ଯ୍ୟ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।