କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଯୋଗ ଅଭ୍ୟାସ ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହେ । ଏହାକୁ ଉପଲବ୍ଧି କରି ବରିଷ୍ଠ ନାଗରିକ ସଂଘର ଅନୁରୋଧ ରକ୍ଷା କରି ଜିଲ୍ଲାପାଳ ପାୱାର ସଚିବ ପ୍ରକାଶଙ୍କ ନିର୍ଦ୍ଦେଶ କ୍ରମେ ମାସକୁ ୨ ଦିନ ଯଥା ପ୍ରତି ମାସର ୧ ଏବଂ ୧୬ ତାରିଖରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, କର୍ମଚାରୀ, କଲେକ୍ଟରିଏଟ ଷ୍ଟାଫ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତଞ୍ଜଳି ଯୋଗ ସମିତିର ତତ୍ୱାବଧାନରେ ଜିଲ୍ଲାର ବରିଷ୍ଠ ନାଗରିକ ସଂଘର ସହଯୋଗରେ ଯୋଗ ଅଭ୍ୟାସ କରିବେ । ଏହି କ୍ରମରେ ଆଜି ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଯୋଗାଭ୍ୟାସର ଶୁଭାରମ୍ଭ କରିଥିଲେ । ଯୋଗଗୁରୁ ଅଶୋକ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଯୋଗ ଅଭ୍ୟାସ ଆରମ୍ଭ ହୋଇଥିଲା । ଏହି ଯୋଗ ଅଭ୍ୟାସ ପାଇଁ ନୋଡାଲ ଅଫିସର ଭାବରେ ନିୟୋଜିତ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ନିହାରେନ୍ଦ୍ର ପଣ୍ଡା ଯୋଗାଭ୍ୟାସ ପରିଚାଳନା କରିଥିଲେ । ଶୀତୁଆ ସକାଳର ଅତ୍ୟଧିକ ଶୀତ ପ୍ରବାହ ସତ୍ୱେ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ବହୁ ସଦସ୍ୟ, ଅଧିକାରୀ ଏବଂ କର୍ମଚାରୀ ଏହି ଯୋଗ ଅଭ୍ୟାସରେ ସାମିଲ ହୋଇଥିଲେ ।