- ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମହାକୁମ୍ଭ ମେଳା ୨୦୨୫ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ
- ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ୫୫୦୦ କୋଟି ରୁ ଅଧିକ ଟଙ୍କାର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶୁଭାରମ୍ଭ କରିବେ
- କୁମ୍ଭ ‘ସହାୟକ’ ଚାଟ୍ବଟ୍ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୩ରେ ଉତ୍ତର ପ୍ରଦେଶ ଗସ୍ତରେ ଯିବେ । ସେ ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରୟାଗରାଜ ଯାଇ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ । ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ପ୍ରଧାନମନ୍ତ୍ରୀ ଅକ୍ଷୟ ବଟବୃକ୍ଷ ସ୍ଥଳରେ ପୂଜାର୍ଚ୍ଚନା କରିବେ ଓ ତା’ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ଯାଇ ପୂଜାର୍ଚ୍ଚନା କରିବେ । ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ପରିଦର୍ଶନ କରିବେଃ ଏହାପରେ ଅପରାହ୍ନ ପ୍ରାୟ ୨ଟାରେ ସେ ପ୍ରୟାଗରାଜରେ ୫୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶୁଭାରମ୍ଭ କରିବେ । ମହାକୁମ୍ଭ ୨୦୨୫ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉ୍ଦଘାଟନ କରିବେ । ପ୍ରୟାଗରାଜରେ ଭିତ୍ତିଭୂମି ସୁବିଧା ଉନ୍ନତୀକରଣ ଏବଂ ନିରବଚ୍ଛିନ୍ନ ଯାତାୟାତକୁ ସୁଗମ କରିବା ପାଇଁ ଏସବୁ ପ୍ରକଳ୍ପ ଉଦ୍ଦିଷ୍ଟ । ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି ୧୦ଟି ନୂତନ ରୋଡ୍ ଓଭରବ୍ରିଜ୍ (ଆରଓବି) କିମ୍ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଭଳି ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ । ସ୍ୱଚ୍ଛ ଏବଂ ନିର୍ମଳ ଗଙ୍ଗା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀକୁ ଯାଉଥିବା କ୍ଷୁଦ୍ର ଡ୍ରେନ୍ ଗୁଡ଼ିକର ପ୍ରତିରୋଧକ, ଟ୍ୟାପ୍, ଡାଇଭର୍ଟ ଏବଂ ବିଶୋଧନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିବେ । ଏହା ଦ୍ୱାରା ଗଙ୍ଗା ନଦୀକୁ ବିଶୋଧିତ ହୋଇନଥିବା ଜଳ ପ୍ରବେଶ କରିପାରିବ ନାହିଁ । ସେ ମଧ୍ୟ ପାନୀୟ ଜଳ ଓ ବିଜୁଳି ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀ କେତେକ ପ୍ରମୁଖ ମନ୍ଦିର କରିଡରକୁ ଉଦ୍ଘାଟନ କରିବେ । ସେଗୁଡ଼ିକ ହେଲା ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗବେରପୁର ଧାମ କରିଡର, ଅକ୍ଷୟବଟ କରିଡର, ହନୁମାନ ମନ୍ଦିର କରିଡର ଇତ୍ୟାଦି । ଏହି ପ୍ରକଳ୍ପଗୁଡ଼ିକ ଭକ୍ତଙ୍କ ଯାତାୟାତକୁ ସୁଗମ କରାଇବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ କୁମ୍ଭ ‘ସହାୟକ’ (ଝବଷ’ଇଓ’ଚ୍ଚବଳ) ଚାଟ୍ବଟ୍ର ଶୁଭାରମ୍ଭ କରିବେ । ଏହି ଚାଟ୍ବଟ୍ ମହାକୁମ୍ଭ ମେଳା ୨୦୨୫ ସମ୍ପର୍କରେ ଭକ୍ତମାନଙ୍କୁ ସହାୟତା କରିବା ସହ କାର୍ଯ୍ୟସୂଚୀ ସମ୍ପର୍କରେ ସଦ୍ୟତମ ସୂଚନା ପ୍ରଦାନ କରିବ ।