jayashree

ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ରେଳସଂଯୋଗ ସ୍ୱପ୍ନ ସାକାର ହେବାକୁ ଯାଉଛି : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

• ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଶାରେ ରେଳ ବିକାଶ ତ୍ୱରାନ୍ୱିତ ହେଉଛି : ରେଳମନ୍ତ୍ରୀ
• ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସଂକଳ୍ପବଦ୍ଧ; କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ବିକାଶଧାରା ଆଗକୁ ବଢ଼ିବ : ଶ୍ରୀ ବୈଷ୍ଣବ
• ଦୂରଦର୍ଶନରେ ଖୁବଶୀଘ୍ର ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ଆରମ୍ଭ ହେବା ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ଘୋଷଣା

ଭୁବନେଶ୍ୱର, (ପିଆଇବି) : ମୟୂରଭଞ୍ଜ-କେନ୍ଦୁଝର ଜିଲ୍ଲାରେ ରେଳ ସଂଯୋଗରେ ସୁଧାର ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ଆଜି ସାକାର ରୂପ ନେବାକୁ ଯାଉଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଉଦବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବାଦାମପାହାଡ଼-କେନ୍ଦୁଝର ଏବଂ ବୁଢ଼ାମରା-ଚକୁଳିଆ ରେଳଲାଇନ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି । ସେ କହିଛନ୍ତି, ରାଷ୍ଟ୍ରପତି ଏହି ସମାରୋହରେ ଯୋଗ ଦେବା ସୌଭାଗ୍ୟର ବିଷୟ । ଆଜି ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଏସବୁ ରେଳ ପ୍ରକଳ୍ପ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ତେବେ ଏହାକୁ ପୂରଣ କରିବା ପାଇଁ ଇଚ୍ଛାଶକ୍ତି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ରହିଥିଲା । ଆଜି ଏସବୁ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଆକାରରେ ତାହା ପ୍ରମାଣିତ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ଅନ୍ୟପକ୍ଷରେ ଏସବୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ବିଷୟରେ ମଧ୍ୟ ଶ୍ରୀ ବୈଷ୍ଣବ ଉଲ୍ଲେଖ କରିଥିଲେ । ସେ କହିଥିଲେ, ରାଷ୍ଟ୍ରପତି ବାରମ୍ବାର ଏସବୁ ପ୍ରକଳ୍ପ ନିର୍ମାଣ ପାଇଁ ପରାମର୍ଶ ଦେଉଥିଲେ । ବାଙ୍ଗିରିପୋଷି-ଗୋରୁମହିଷାଣୀ ରେଳ ପ୍ରକଳ୍ପରେ ୨,୫୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ୟୁନେସ୍କୋ ଜୈବ ଐତିହ୍ୟସ୍ଥଳ ଶିମିଳିପାଳକୁ ରେଳ ସଂଯୋଗ ଯୋଗାଇ ଦେବ । ବାଦାମପାହାଡ଼-କେନ୍ଦୁଝର ୨୧୦୬ କୋଟି ଟଙ୍କାରେ ରେଳ ଲାଇନ ନିର୍ମାଣ କରାଯିବ । ଏହାଦ୍ୱାରା ଖିଚିଂର କିଚକେଶ୍ୱରୀ ମନ୍ଦିରକୁ ରେଳ ସଂଯୋଗ ସୁବିଧା ମିଳିବ । ବୁଢ଼ାମରା-ଚକୁଳିଆ ୧୬୪୯ କୋଟି ଟଙ୍କାର ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଉତ୍ତର ଭାଗକୁ ରେଳ ସଂଯୋଗ ଯୋଗାଇ ଦେବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ, ବର୍ଷେ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ରେଳ ଲାଇନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାହା ମଧ୍ୟ ପୂରଣ ହୋଇଛି । ବାଦାମପାହଡ଼ରୁ ଟାଟାନଗର ମେମୁ ଟ୍ରେନ ଚାଲିବା ଆରମ୍ଭ କରିଥିବା ବେଳେ ଏଠାରୁ କୋଲକାତା ଓ ରାଉରକେଲାକୁ ମଧ୍ୟ ରେଳ ଚଳାଚଳ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି ବୋଲି ରେଳମନ୍ତ୍ରୀ କହିଥିଲେ । ପୂର୍ବରୁ ରାଜ୍ୟକୁ ମାତ୍ର ୮୦୦ କୋଟି ଟଙ୍କାର ରେଳ ଅନୁଦାନ ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ୧୦ହଜାର ୫୦୦ କୋଟି ଟଙ୍କାରୁ ଅଧିକ ରେଳ ଅନୁଦାନ ପ୍ରଦାନ କରିଛନ୍ତି । ଅଧିକାଂଶ ପ୍ରକଳ୍ପ ଆଦିବାସୀ ଅଞ୍ଚଳକୁ ମିଳିଛି । ଗୁଣୁପୁର ଥେରୁବାଲି ରେଳଲାଇନ ପାଇଁ ୧୩୨୬ କୋଟି ଟଙ୍କା, ଜୁନାଗଡ଼-ନବରଙ୍ଗପୁର ରେଳଲାଇନ ପାଇଁ ୩୨୭୪, ମାଲନାଗିରି-ଭଦ୍ରାଚଳମ ପାଇଁ ୪୧୦୯ କୋଟି ଟଙ୍କା, ସରଡେଗା-ଭାଲୁମୁଡ଼ା ୧୩୬୦ କୋଟି ଟଙ୍କା, ବରଗଡ଼ ରୋଡ-ନୂଆପଡ଼ା ରେଳ ଲାଇନ ପାଇଁ ୨୯୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ବିକାଶଧାରା ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ଏବେ ଓଡ଼ିଶାରେ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି । ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଭାବେ ବିକଶିତ କରାଯାଉଛି । ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ ଯେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ଦୂରଦର୍ଶନ ଓଡ଼ିଆରେ ସାନ୍ତାଳି ଭାଷାରେ ସମାଚାର ପ୍ରସାରଣ ଆରମ୍ଭ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ ହେବାକୁ ଯାଉଛି । ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଦିବାସୀ ସମାଜକୁ ସବୁବେଳେ ସମ୍ମାନ, ସମର୍ପଣ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇଛନ୍ତି । ଫଳସ୍ୱରୂପ ଆଜି ଏହି ସମ୍ପ୍ରଦାୟର ମହାନ ବ୍ୟକ୍ତିତ୍ୱମାନେ ମାନନୀୟ ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ତିନୋଟି ରେଳ ଲାଇନ- ବାଙ୍ଗିରିପୋଷି-ଗୋରାମହିଷାଣୀ; ବୁଢ଼ାମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ; ସମେତ ଆଦିବାସୀ ଗବେଷଣା ଏବଂ ବିକାଶ କେନ୍ଦ୍ର, ଦାଣ୍ଡବୋସ ବିମାନ ବନ୍ଦର; ଏବଂ ରାଇରଙ୍ଗପୁର ସବ୍-ଡିଭିଜନାଲ ହସ୍ପିଟାଲର ନୂତନ ଅଟ୍ଟାଳିକା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave A Reply

Your email address will not be published.