jayashree

ଅବ୍ୟବସ୍ଥା ଘେରରେ ଓଡେଶୁ ଗାଁ

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଯାଗୁଗୁଡା ପଞ୍ଚାୟତ ଅନ୍ତର୍ଗତ ଓଡ଼େଶୁ ଗାଁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଅନେକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ରହିଥିବା ଜଣାପଡିଛି । ଗାଁର ଚତୁଃପାର୍ଶ୍ଵରେ ବଣ ପାହାଡ ଘେରି ରହିଥିବା ବେଳେ ଓଡେଶୁ ଗାଁଟି ପଞ୍ଚାୟତରୁ ୭ କି.ମି.ପୁଣି ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୨୪ କି.ମି. ଦୂରରେ ରହିଛି । ଏହି ଗାଁରେ ୨୩ ଘର ପରିବାର ବସବାସ କରି ରହି ଆସୁଛନ୍ତି । ଗତ ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ସମିତି ସଭ୍ୟ ଭାବେ ଦାସ ମେଲେକା ଏହି ଗାଁରୁ ନିର୍ବାଚିତ ହୋଇ ପଞ୍ଚାୟତ ସମିତିକୁ ଯାଇଥିଲେ । ନିଜ ଗାଁରେ ରହିଥିବା ପିଇବା ପାଣି ତଥା ଅନ୍ୟାନ୍ୟ ସମସ୍ୟାକୁ ନେଇ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରି ସମାଧାନ କରିବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଏ ଶୁଣି ନଥିବା ଅଭିଯୋଗ ହୋଇଛି । ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକାଙ୍କୁ ମଧ୍ୟ ପିଇବା ପାଣି ସମସ୍ୟା ସମାଧାନ ନିମନ୍ତେ ଗୁହାରି କରିଥିଲେ ହେଁ କେବଳ ପ୍ରତିଶ୍ରୁତିରେ ହିଁ ଆଜି ପର୍ଯ୍ୟନ୍ତ ଅଟକି ରହିଛି । ଗାଁରୁ ମା’ମାନେ ପ୍ରାୟ ୬୦ ମିଟର ତଳେ ଥିବା ବିରାଟ ଗର୍ତ୍ତ ତଳେ ବହି ଆସିଥିବା ଝରଣାରୁ ପାଣି ବହୁ କଷ୍ଟରେ ଆଣି ବ୍ୟବହାର କରୁଛନ୍ତି । କିଛି ବର୍ଷ ତଳେ ସରକାରଙ୍କ ତରଫରୁ ଏକ ନଳକୂପ ଖନନ ହୋଇଥିଲେ ମଧ୍ୟ ତହିଁରୁ ଦୁର୍ଗନ୍ଧ ପାଣି ବାହାରୁଛି । ନିଜେ ପରିଧାନ କରୁଥିବା ମଇଳା ପୋଷାକ ସଫା କରିବା ପାଇଁ ପ୍ରାୟ ୨ କି.ମି ଚାଲି ଯିବାକୁ ପଡୁଛି । ସ୍କୁଲ ଥିଲା ସ୍କୁଲ ବନ୍ଦ ହୋଇଯିବାରୁ ମାତ୍ର ୨ଟି ପିଲା ୧ କିଲୋମିଟର ଦୂର ରାସ୍ତା ଚାଲି ବିଲାମାଳ ଗାଁ ସ୍କୁଲ ଯାଇ ପାଠପଢନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ନଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସ୍କୁଲ ଘରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି । ଗାଁ ପାଇଁ ଥିବା ରାସ୍ତା ଠିକାଦାର ଅଳ୍ପ ଦିନ ତଳେ ମରାମତି କରିଥିଲେ ମଧ୍ୟ ତାର ୨ ଦିନ ମଧ୍ୟରେ ପିଚୁ ବାହାରି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଗ୍ରାମବାସୀ ଜଣାଇଛନ୍ତି । ଗାଁରେ ଜଣେ ରକ୍ତହୀନତା ଶିଶୁ ବୁଲୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ତାଙ୍କର ସମସ୍ତ ମୌଳିକ ସମସ୍ୟାର ଆଶୁ ସମାଧାନ ନିମନ୍ତେ ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ନିକଟରେ ଗୁହାରି କରିଛନ୍ତି ।

Leave A Reply

Your email address will not be published.