jayashree

ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁକ୍ତ ଦୁଇ ବର୍ଗର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଯୋଜନା । ଏହି କୌଶଳ ଶିକ୍ଷା କରିଥିଲେ ଯେକୌଣସି ପରିସ୍ଥିତିରେ ବାଳିକାମାନେ ନିଜକୁ ରକ୍ଷା କରି ପାରିବେ । ଏହି କୌଶଳ ମାଧ୍ୟମରେ ଛାତ୍ରୀମାନଙ୍କୁ ସଶକ୍ତ କରାଯିବା ସହ ସେମାନଙ୍କ ଉପରେ ହେଉଥିବା ଶାରିରୀକ ଆକ୍ରମଣକୁ ସେମାନେ ପ୍ରତିହତ କରିବା ସହ ନିଜକୁ ସୁରକ୍ଷିତ ରଖିପାରିବେ । ଏହା ସହିତ ବାଳିକାମାନେ ନିଜକୁ ବିଭିନ୍ନ ସମୟରେ ସୁରକ୍ଷିତ ରଖିବା ପାଇଁ ନିଜ ମଧ୍ୟରେ ମାନସିକ ଭାବେ ଦୃଢ଼ ହୋଇପାରିବେ । ଏହି କ୍ରମରେ ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍‌ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସସ୍ମିତା ସାମଲ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମମତା ବାକ୍ସଲା ଏବଂ ସହ ସଂଯୋଜିକା ଅଧ୍ୟାପିକା ନମିତା ସ୍ୱାଇଁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ଟି କାର୍ଯ୍ୟଦିବସ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁକ୍ତ ଦୁଇ ବର୍ଗର ଛାତ୍ରୀମାନେ ଲାଭାନ୍ୱିତ ହେବେ ବୋଲି ଡ. ସାମଲ ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ପ୍ରଥମ ଦିନରେ ହୋଇଥିବା ଶିବିରରେ ମୋଟ ୧୧୨ଜଣ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଯୋଗଦେଇଛନ୍ତି । ଓସେପା ଏବଂ ସମଗ୍ର ଶିକ୍ଷା ଅଭିଯାନ ସୁନ୍ଦରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତ ପ୍ରଶିକ୍ଷିକା ଦୁଲାଣି ମୁଣ୍ଡାରି ଓ ମହିମା ସୁନ୍ଦରୀ ମଲ୍ଲିକ ଏଥିରେ ପ୍ରଶିକ୍ଷଣ ଦେଉଛନ୍ତି । ଆସନ୍ତା ଦିନରେ ଏଥିରେ ଅଧିକରୁ ଅଧିକ ଛାତ୍ରୀ ଯୋଗଦେବା ପାଇଁ ଅଧ୍ୟାପିକା ମମତା ବାକ୍ସଲା ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.