“ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ”

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଭିନ୍ନକ୍ଷମ ସେଲ ଆନୁକୂଲ୍ୟରେ ଚଳିତ ବର୍ଷର ଥିମ୍ “ଏକ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ଭିନ୍ନକ୍ଷମ ନେତୃତ୍ଵକୁ ବୃଦ୍ଧି କରିବା”କୁ ନେଇ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଅଧ୍ୟକ୍ଷତା କରିଥିଲେ । ଭିନ୍ନକ୍ଷମ ସେଲ୍‌ର ସଦସ୍ୟ ତପନ କୁମାର ସିଂ ନାୟକ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଭିନ୍ନକ୍ଷମ ସେଲ୍‌ର ସଂଯୋଜକ ଡ଼ଃ. ଶାରଦା ପ୍ରସନ୍ନ ରାଉତ ଏହି ଦିବସକୁ ପାଳନ କରିବାର ଉଦ୍ଦେଶ୍ୟ ଏବଂ ଗୁରୁତ୍ଵ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରଫେସର ବି.ଅଞ୍ଜନ କୁମାର ପୃଷ୍ଟି ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ସେଲ୍ ଦ୍ଵାରା ବିଭିନ୍ନ ସମୟରେ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପି.ଜି କାଉନସିଲ୍‌ର ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିବା ସହିତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏମ୍.କେ.ସି.ଜି ମେଡ଼ିକାଲର ବରିଷ୍ଠ ମନସ୍ଥତ୍ୱବିତ୍ ଡାକ୍ତର ଆକାଶ ନନ୍ଦ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଏହି ସମସ୍ୟାଗୁଡ଼ିକୁ କିପରି ଭାବେ ପ୍ରତିହତ କରାଯାଇପାରିବ ସେ ବିଷୟରେ ବୁଝାଇ କହିଥିଲେ । ଡାକ୍ତର ନନ୍ଦ ନିଜର ଅଭିଭାଷଣ ଦ୍ଵାରା ସମସ୍ତଙ୍କୁ ସଚେତନ କରିବା ସହିତ ମାନବିକ ମୂଲ୍ୟବୋଧ ସମ୍ବନ୍ଧରେ ଆଲୋକପାତ କରିଥିଲେ । ରୋଟାରୀ କ୍ଲବର ସଭାପତି ସିଏ.ଆର୍. ଲକ୍ଷ୍ମୀ ତରୁଣ ନିଜର ବକ୍ତବ୍ୟ ରଖିବା ସହିତ ସଂକଳ୍ପ ସ୍କୁଲ୍‌ର ଅଧ୍ୟକ୍ଷ ଇ.ଟି ରାଓ ଭିନ୍ନକ୍ଷମମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଅସୁବିଧାର ସମ୍ଭାବ୍ୟ ସମାଧାନ ବିଷୟରେ କହିଥିଲେ । ଉପସ୍ଥିତ ସମସ୍ତ ଅତିଥିମାନେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ସୁବିଧା ନିମନ୍ତେ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ । ପରିଶେଷରେ ତପନ କୁମାର ସିଂ ନାୟକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭିନ୍ନକ୍ଷମ ସେଲ୍ ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.