jayashree

ସାହିତ୍ୟ ଏକାଡେ଼ମୀର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦ୍‌ଘାଟିତ

  • ଓଡ଼ିଆ କବିତାରେ ନବ୍ୟ – ଆଧୁନିକତାର ପ୍ରବର୍ତ୍ତକ ଗୁରୁପ୍ରସାଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ କବିତାରେ ଆଧୁନିକତାର ଧାରା ପ୍ରବର୍ତ୍ତକ ହେଉଛନ୍ତି ପ୍ରସିଦ୍ଧ କବି ଗୁରୁପ୍ରସାଦ ମହାନ୍ତି । ସମକାଳର କବିତାକୁ ସମକାଳର ଭାଷାରେ ପ୍ରକାଶ କରୁଥିବା କବି ହେଉଛନ୍ତି ପ୍ରାଚ୍ୟ – ପାଶ୍ଚାତ୍ୟର ସେତୁସ୍ଥାପକ । ତାଙ୍କ କବିତା ସଂଖ୍ୟା କମ୍ କିନ୍ତୁ ସେଗୁଡ଼ିକର ପ୍ରଭାବ ଅସୀମ । ତାଙ୍କର ପ୍ରତିଟି କବିତା ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ଜ୍ୟୋତି । କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରରେ ଏହା ପ୍ରକାଶ କରିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ତରଫରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଦ୍ୱିଦିବସୀୟ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରର ଅତିଥି ଏବଂ ଆଲୋଚକ ବୃନ୍ଦ । ବିଖ୍ୟାତ ଓଡ଼ିଆ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଆଲୋଚନାଚକ୍ରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏକାଡେ଼ମୀର ସଚିବ ଡକ୍ଟର କେ. ଶ୍ରୀ ନିବାସରାଓ । ଉଦ୍‌ଘାଟନୀ ଅଭିଭାଷଣରେ ଶ୍ରୀଯୁକ୍ତ ପଣ୍ଡା ଗୁରୁପ୍ରସାଦ ମହାନ୍ତିଙ୍କୁ ଓଡ଼ିଆ କବିତାରେ ନବ୍ୟ – ଆଧୁନିକତାର ପ୍ରବର୍ତ୍ତକ ବୋଲି କହିଥିଲେ । ଡକ୍ଟର ରାଓ ଭାରତୀୟ କବିତାର ବୈଶିଷ୍ଟ୍ୟ ଏବଂ ଗୁରୁପ୍ରସାଦଙ୍କ କାବ୍ୟିକ ସ୍ୱତନ୍ତ୍ର୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଗୁରୁପ୍ରସାଦଙ୍କ କେତେକ ଲୋକପ୍ରିୟ କବିତା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଆଲୋଚନାଚକ୍ରର ଉଦ୍‌ଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ଗୁରୁପ୍ରସାଦ ହେଉଛନ୍ତି ସମ୍ମୋହନର କବି, ଉଚ୍ଚାଟନର କବି, ମଧୁର ଯନ୍ତ୍ରଣାର କବି, ପ୍ରେମ ଓ ପ୍ରକୃତିର କବି । ୫୦ ବର୍ଷର ସୃଜନ କାଳରେ ମାତ୍ର ଅଶୀ ପାଖାପାଖି କବିତା ଲେଖିଥିଲେ । କବିତା ସଂଖ୍ୟା ସ୍ୱଳ୍ପ ହୋଇଥିଲେ ସୁଦ୍ଧା ସେ ଖୁବ୍ ପ୍ରସିଦ୍ଧ । ଶବ୍ଦ ପ୍ରୟୋଗ ଏତେ ଅଣପାରମ୍ପରିକ ଏବଂ ଆକସ୍ମିକ ଯେ ପାଠକ ତତ୍‌କ୍ଷଣାତ୍ ମୋହାଚ୍ଛନ୍ନ ହୋଇଯାଏ । ତାଙ୍କର ରାତି ପ୍ରସୂତିର କଷ୍ଟ ଭୋଗେ ଏବଂ ସକାଳ ଜନ୍ମ ନିଏ ରୁଗ୍ଣ ଶିଣୁଟିଏ ହୋଇ । ତାଙ୍କର କବିତା ଗୁଡ଼ିକ ଯେତିକି ଇନ୍ଦ୍ରିୟାସକ୍ତ ସେତିକି ଇନ୍ଦ୍ରିୟ – ମୁକ୍ତ । ଏହି ଶତବାର୍ଷିକୀ ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଗୁରୁପ୍ରସାଦ ମହାନ୍ତିଙ୍କ କନ୍ୟା ଡାକ୍ତର ପ୍ରିୟଦର୍ଶିନୀ ମହାନ୍ତି । ସେ ଆବେଗପୂର୍ଣ୍ଣ ଭାବରେ ଗୁରୁପ୍ରସାଦଙ୍କ ସ୍ମୃତିଚାରଣ କରିଥିଲେ । ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ କବି ତଥା ସମାଲୋଚକ ଭଗବାନ ଜୟସିଂହ । ଗୁରୁପ୍ରସାଦ ମହାନ୍ତିଙ୍କ ‘କାଳପୁରୁଷ’ ଏବଂ ଟି.ଏସ୍‌. ଏଲିଅଟଙ୍କ ‘ଦି ୱେଷ୍ଟ ଲ୍ୟାଣ୍ଡ’ କବିତାର ତୁଳନାତ୍ମକ ବ୍ୟାଖ୍ୟା କରିବା ପୂର୍ବକ ଗୁରୁପ୍ରସାଦଙ୍କ କବିତାର ନୂତନତା ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଏକାଡେ଼ମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର । ସଭା ସଂଯୋଜନା କରିଥିଲେ ସାହିତ୍ୟ ଏାଡେ଼ମୀର ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ପ୍ରଥବ ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଏାଡେ଼ମୀର ସାଧାରଣ ପରିଷଦର ସଦସ୍ୟ ତଥା ବିଶିଷ୍ଟ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ । ‘ଗୁରୁପ୍ରସାଦଙ୍କ କବିତାରେ ଭାବ ଓ ଶୈଳୀ’ ଶୀର୍ଷକରେ କବି ଭାଗୀରଥି ମିଶ୍ର ପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ ପ୍ରଫେସର ଚିତ୍ତରଂଜନ ମିଶ୍ରଙ୍କ ପ୍ରବନ୍ଧର ବିଷୟ ଥିଲା ‘ଗୁରୁପ୍ରସାଦଙ୍କ କବିତାରେ ପ୍ରକୃତି ଓ ନାନ୍ଦନିକତା’ । ଡକ୍ଟର ସଂଘମିତ୍ରା ଭଞ୍ଜ ‘ଅସ୍ତିତ୍ୱବାଦୀ ଦର୍ଶନ ଓ ଗୁରୁପ୍ରସାଦ ମହାନ୍ତି’ ଶୀର୍ଷକରେ ପ୍ରବନ୍ଧ ପାଠ କରିଥିଲେ । ସେହିପରି ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ । ଗୁରୁପ୍ରସାଦଙ୍କ କବିତାର ତାତ୍ତ୍ୱିକ ଆଲୋଚନା କରିଥିଲେ ଦିଲୀପ କୁମାର ସ୍ୱାଇଁ, ରମେଶଚନ୍ଦ୍ର ମଲ୍ଲିକ ଏବଂ ସନ୍ତୋଷ କୁମାର ନାୟକ । ଶୁକ୍ରବାର ଦିନ ଆଲୋଚନାଚକ୍ରର ଦ୍ୱିତୀୟ ଦିବସରେ ଗୁରୁପ୍ରସାଦଙ୍କ କବିତାର ଅନ୍ୟାନ୍ୟ ବିଭବ ସମ୍ପର୍କରେ ଆଲୋଚନା ଏବଂ ସନ୍ଧ୍ୟାରେ କବିସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ କବି, ଲେଖକ, ଗବେଷକ, ସାହିତ୍ୟପ୍ରେମୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.