jayashree

ସୀମାନ୍ତରେ ବଡ଼ ଧରଣର ଜୁଆ ଆଡ୍ଡାରେ ପୋଲିସ୍‌ର ଚଢାଉ : ୮୧ଜଣ ଗିରଫ, ୨୯ ଲକ୍ଷରୁ ଅଧିକ ଟଙ୍କା ଜବତ

ନୂଆପଡ଼ା, (କେପିଏନ୍‌ଏସ୍‌) : ଓଡ଼ିଶା ସୀମାନ୍ତ ଅଞ୍ଚଳ ତଥା ନୂଆପଡ଼ା ଜିଲ୍ଲାରେ ଚାଲିଥିବା ଏକ ବଡ ଧରଣର ଜୁଆଆଡ୍ଡା ଉପରେ ପୁଲିସର ନଜର ପଡ଼ିଛି । ବିଳମ୍ବିତ ରାତିରେ ଖରିଆର ରୋଡ୍ ସହର ସ୍ଥିତ ଚାଲମୁଣ୍ଡା ନିକଟରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ କୋରାପୁଟ ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ଚଢ଼ଉ କରାଯାଇ ୮୧ ଜଣଙ୍କୁ କାବୁ କରାଯାଇଥିଲା । ଜୁଆଡିଙ୍କ ଠାରୁ ୨୯ ଲକ୍ଷ ଟଙ୍କା ସହ ୨୭ଟି କାର୍ ଏବଂ ୫ଟି ବାଇକ୍ ଜବତ କରାଯାଇଥିବା ନୂଆପଡ଼ା ଏସ୍‌ପି ଜିଆର୍‌. ରାଘବେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୦କିମି ଦୂର ଖରିଆର ରୋଡ୍ ସହର ମଧ୍ୟରେ କୋଟି କୋଟି ଟଙ୍କାର ଜୁଆ କାରବାର ଚାଲୁଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଜିଲ୍ଲା କର୍ତ୍ତୃପକ୍ଷ ଧ୍ୟାନ ଦେଉ ନଥିଲେ । ଶେଷରେ ଏହାକୁ ନେଇ ଲୋକେ ରାଜ୍ୟ ପୁଲିସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ସୋମବାର ରାତିରେ ସହରବାସୀ ଖରିଆର ରୋଡ୍ ମହୋତ୍ସବରେ ମାତିଥିବା ବେଳେ ଅନ୍ୟପଟେ ଚାଲମୁଣ୍ଡାରେ ଏକ ଅର୍ଦ୍ଧ ନିର୍ମିତ ଘରେ ଜୁଆଖେଳ ଚାଲିଥିଲା । ଗୁପ୍ତ ଖବରକୁ ଭିତ୍ତି କରି ନୂଆପଡ଼ା ପୁଲିସକୁ ନ ଜଣାଇ ଡିଜିଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଡିଆଇଜିଙ୍କ ତତ୍ୱାବଧାନରେ ଦୁଇ ପ୍ଲାଟୁନ ଫୋର୍ସ କୋରାପୁଟରୁ ଆସି ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ । ୮୧ ଜଣଙ୍କୁ କାବୁ କରାଯାଇ ୨୯ ଲକ୍ଷ ଟଙ୍କା, ୨୭ଟି କାର୍ ସହ ୫ ବାଇକ୍ ଜବତ କରିଥିଲେ । ପରେ ସ୍ଥାନୀୟ ଖରିଆର ରୋଡ୍ ଜୋଙ୍କ ଥାନାରେ ଆହୁତ ସମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜିଆର୍‌. ରାଘବେନ୍ଦ୍ର, ଅତିରିକ୍ତ ଏସ୍‌ପି ଇନ୍ଦ୍ରମଣୀ ବେହେରା, ଥାନାଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇ କହିଥିଲେ ଯେ, ମୋଟ ୮୧ ଜଣଙ୍କୁ ଗିରଫ କରାଯାଇଥିଲା । ଏଥିରେ ୬୩ଜଣ ଛତିଶଗଡ଼ ଏବଂ ୧୭ ଜଣ ଖରିଆର ରୋଡ୍ ଏବଂ ଜଣେ ମହାରାଷ୍ଟ୍ରରୁ ଖେଳାଳି ସାମିଲ ଥିଲେ । ସେମାନଙ୍କ ବିରୋଧରେ ଖରିଆର ରୋଡ ଥାନାରେ ମାମଲା ରୁଜୁ କରି ଭାରତୀୟ ନ୍ୟାୟ ସଂହିତା୧୧୧(୪) ଓପିଜି ଆକ୍ଟ ୫ ଏବଂ ୧୧୨(୩) ଓପିଜି ଆକ୍ଟ ୩ରେ ୧୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ୬୨ଜଣଙ୍କୁ ପିଆର୍ ବଣ୍ଡରେ ଥାନାରୁ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.