ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମୋହନ ରାଓ ମାଝୀ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲାୟନ୍ସ କ୍ଲବ ଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାସ ଯୋଗଦେଇ ସଂଘର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିଜର ବକ୍ତବ୍ୟ ରଖିବା ସହ କାର୍ଯ୍ୟରତ ଶ୍ରମିକମାନଙ୍କ ସମସ୍ୟା ଉପରେ ଗଭୀର ଆଲୋଚନା ସହିତ ଆବଶ୍ୟକୀୟ ସ୍ଥଳେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ମଜଦୁର ସଂଘର ୭୦ ବର୍ଷ ପୂର୍ତ୍ତିକୁ ଆଧାର କରି ସଂଘ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ଯଥା- ଆସନ୍ତା ଡ଼ିସେମ୍ବର ମାସରେ ରାଜ୍ୟର ନିଷ୍ପତ୍ତି କ୍ରମେ ୮ରୁ ୧୦ ଲକ୍ଷ ଶ୍ରମିକ ସମାଜରେ ଜନସମ୍ପର୍କ ଅଭିଯାନ ସହିତ ଆସନ୍ତା ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ମହିଳା ସମ୍ମିଳନୀ, ଯୁବା ସମ୍ମିଳନୀ କାର୍ଯ୍ୟକ୍ରମ କରିବା ସହ ଯୁବକ ଏବଂ ଯୁବତୀ ମାନଙ୍କ ମଧ୍ୟରେ ଶ୍ରମିକ ସଂଘ ପ୍ରତି ଆଶା ସୃଷ୍ଠି କରିବା, ନୂତନ ନେତୃତ୍ୱ ବିକାଶ କରିବା ପାଇଁ ପ୍ରୟାସ କରିବା, ସାମାଜର ଗଠନ ପାଇଁ ଓ ପରିବର୍ତ୍ତନକୁ ଦୃଷ୍ଟି ରଖି ପଞ୍ଚ ପରିବର୍ତ୍ତନ ତଥା ପର୍ଯ୍ୟାବରଣ, ସ୍ଵଦେଶୀ, ଯୌଥ ପରିବାରର ଆବଶ୍ୟକତା, ସାମାଜିକ ସମରସତା ଏବଂ ନାଗରିକ କର୍ତ୍ତବ୍ୟ ଉପରେ ଗୁରୁତ୍ଵାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ଜେ.କେ. ପେପର ମଜଦୁର ସଂଘ, ଇମ୍ପା ଠିକା ମଜଦୁର ସଂଘ, ଉତ୍କଳ ଆଲୁମିନା ଠିକା ମଜଦୁର ସଂଘ, ପାଚିକା ସଂଘ, ସ୍ୱାବଲମ୍ବୀ କାରିଗର ସଂଘ, ବ୍ୟବସାୟ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ରାଜ ମିସ୍ତ୍ରୀ ସଂଘ, ବିଶ୍ଵକର୍ମା ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ଅଟୋ ଚାଳକ ସଂଘ, ମାଛ ବ୍ୟବସାୟୀ ସଂଘ, ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ, ରାୟଗଡ଼ା ଜିଲ୍ଲା ହସ୍ପିଟାଲ କର୍ମଚାରୀ ସଂଘର ସମସ୍ତ ନେତୃବୃନ୍ଦ ମାନଙ୍କ ସହ ଜିଲ୍ଲାର ୧୧ଟି ବ୍ଲକର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ, ଉପସଭାପତି ଦୁର୍ଗା ମାଧବ ଘୋଷ, ଉପସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ, ଉଷାରାଣୀ ଦାଶ, ନେହା ସିଂ, ଏ. ତିରୁପତି ରାଓ, ସତ୍ୟବାନ ଦୁର୍ଗା, ଜ୍ୟୋତିର୍ମୟ ମିଶ୍ର, ଆନନ୍ଦ ରାଉଳ ସହଯୋଗ କରିଥିବା ବେଳେ ମନୋଜ ଦାସ ପରିଚାଳନା କରିଥିଲେ ।