ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ପାଇଁ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷ ଆବଶ୍ୟକ ପରିମାଣରେ ଜଳ ସଂଗ୍ରହ ହୋଇ ପାରି ନଥିବାରୁ ରବି ଜଳ ସେଚନକୁ ସଙ୍କୁଚିତ କରିଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କଳାହାଣ୍ଡି ସମେତ ଇନ୍ଦ୍ରାବତୀ ଉପର ମୁଣ୍ଡରେ ୨୦୦ ମିଳିମିଟର କମ୍ ବର୍ଷା ହୋଇଥିବାରୁ ଏପରି ସ୍ଥିତାବସ୍ଥା ଉତ୍ପନ୍ନ ହୋଇଛି ବୋଲି ଆଲୋଚନା ହେଉଛି । ଗତ ବର୍ଷ ୧୨୧୬ ମିଳିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ୧୦୭୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହାକି କଳାହାଣ୍ଡି ଜିଲ୍ଲାର ହାରାହାରି ବର୍ଷାର ପରିମାଣରୁ କମ । ଆସନ୍ତା ୧୪ ତାରିଖରୁ ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି ଏବଂ ଆଗାମୀ ରବି ଜଳ ସେଚନ ପାଇଁ ପରିବର୍ତ୍ତିତ ଚିଠା ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ରବି ଜଳ ସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲର ୩୩୫ ଗ୍ରାମର ୪୭, ୫୭୪ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖା ଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶପାିଛି । ଏ ସଂକ୍ରାନ୍ତରେ ମେଗା ଲିଫ୍ଟ ପରିସରରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ମଧ୍ୟ କରା ଯାଇଥିବା ସୂଚନା ମିଳିଛି । ସାଂପ୍ରତିକ ସ୍ଥିତିରେ ଜଳଭଣ୍ଡାରର ଜଳ ସଂରକ୍ଷଣକୁ ନଜରରେ ରଖି ଦକ୍ଷିଣ କେନାଲ ପରିସରରେ ୨୦,୦୭୪ହେକ୍ଟର ଓ ବାମ କେନାଲ ପରିସରରେ ୨୭, ୫୦୧ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଛି । ଫଳରେ ଜୟପାଟଣା ବ୍ଲକ ୮୦ଟି ଗ୍ରାମର ୧୩, ୭୮୫ ହେକ୍ଟର, କଲମପୁର ବ୍ଲକ ୪୮ଟି ଗ୍ରାମର ୮୮୪୪.୨୧ହେକ୍ଟର, ଜୁନାଗଡ ବ୍ଲକ ୧୩୬ ଗ୍ରାମର ୨୧, ୭୨୮.୪୫ ହେକ୍ଟର, କୋକସରା ବ୍ଲକ ୩୬ଟି ଗ୍ରାମର ୧୯୧୦.୬୨ ହେକ୍ଟର ଓ ଧର୍ମଗଡ ବ୍ଲକ ୩୬ ଗ୍ରାମର ୧୩୦୫.୮୭ ହେକ୍ଟର ଜମିରେ ଜଳସେଚନ ଚୂଡାନ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଜଳସେଚନ ସମୟରେ ଜଳଭଣ୍ଡାରର ସାଂପ୍ରତିକ ସ୍ଥିତିକୁ ଦେଖି ସ୍ୱଳ୍ପ ମିଆଦି ଧାନ ଚାଷ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡାଯାଇଛି ।