ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ସମସ୍ୟା ନେଇ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ଏକ ବୈଠକ ହୋଟେଲ ସୋଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି. ପି. ରାୟଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଂଚର ବରିଷ୍ଠ ସଦସ୍ୟ ମାନେ ଯୋଗଦେଇ ସହରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନା ମଧ୍ୟରେ ବନ୍ଧମୁଣ୍ଡା କୁକୁଡ଼ା ଗେଟ୍ ନିକଟରେ ରେଲୱେ ଓଭରବ୍ରିଜର ପୂର୍ଣ୍ଣାଙ୍ଗ କରଣ ଓ ଏଥିରେ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ, ବିସ୍ଥାପିତ ସମସ୍ୟା, ସହରର ବିମାନ ସେବାକୁ ଉନ୍ନତିକରଣ, ଆଇନ ଶୃଙ୍ଖଳା ପରିସ୍ଥିତି, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା, ବିପିୟୁଟିକୁ ପୂର୍ଣ୍ଣକ୍ଷମ ଓ ସମସ୍ତ କାର୍ଯ୍ୟକ୍ରମ ରାଉରକେଲାରେ କରାଯିବା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହ ଆସନ୍ତା ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟ କରି ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଯାଇ ଏହାର ସମାଧାନ କରିବା ପାଇଁ ସଭାପତି ଇଂ ବିଶି ଓ ସାଧାରଣ ସମ୍ପାଦକ ଶ୍ରୀ ରାୟଙ୍କୁ ଦାୟିତ୍ଵ ଦିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ସାହୁ, ସସ୍ମିତା ପ୍ରଧାନ, ଆଦିବାସୀ ନେତା ରାମ ସାହୁ, ଶ୍ରୀ ମୁର୍ମୁ, ଶ୍ରୀ ବାନାର୍ଜୀ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।