ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଆର୍.ବି ହାଇ ସ୍କୁଲ୍ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି, ବିଦ୍ୱତ ପରିଷଦର ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଧ୍ଵଜାରୋହଣ କରିଥିଲେ । ୪୦ ଗୋଟି ଆତସ ବାଜିର ଶବ୍ଦରେ କ୍ରୀଡ଼ା ସମାରୋହକୁ ଉଦ୍ଘାଟନ ଘୋଷଣା କରି ଉପସ୍ଥିତ ଶିଶୁ ଭାଇଭଉଣୀ ମାନଙ୍କୁ କ୍ରୀଡ଼ାବିତ୍ ମନୋଭାବ ରଖି ସମସ୍ତଙ୍କୁ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ କାଳୀ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ପଡିଆକୁ ଜ୍ୟୋତି ପ୍ରବେଶ କରାଇ ମୁଖ୍ୟ ଅତିଥିଙ୍କୁ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ଜ୍ୟୋତି ସ୍ଥାପନ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ସଭାପତି ପୃଥ୍ୱୀରାଜ ସାହୁ, ସମ୍ପାଦକ ଜନକ ଲାଲ ମେହେର, ଉପସଭାପତି ଗୋପାଳ କୃଷ୍ଣ ମିଶ୍ର, ଉପଦେଷ୍ଟା କମିଟିର ସଦସ୍ୟ ଆଶିଷ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଶିଶୁ, ଭାଇଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରେ ବିଦ୍ୟା ମନ୍ଦିର ଭାଇଭଉଣୀ ମାନଙ୍କ ଦ୍ୱାରା ବ୍ୟାୟାମ ଯୋଗ ପ୍ରଦର୍ଶନ କରାଯାଇଥିଲା । ଶେଷରେ ସମ୍ପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା କିଶୋର ବର୍ଗ ୮୦୦ ମି. ଦୌଡ଼ ଖେଳର ଉଦ୍ଘାଟନ ହୋଇଥିଲା । ପ୍ରାଥମିକ ବର୍ଗ ଭାଇମାନଙ୍କର ବସ୍ତା ଦୌଡ, ବେଙ୍ଗ ଡିଆଁ, ପ୍ରାଥମିକ ବର୍ଗ ଓ ଶିଶୁ ବର୍ଗ ଭଉଣୀ ମାନଙ୍କର ପୁଚି ଖେଳ ସମେତ ଅନ୍ୟାନ୍ୟ ଖେଳ ଗୁଡିକ ଅନୁଷ୍ଠିତ ହୋଇଥିଲା । ଶାରୀରିକ ପ୍ରମୁଖ ପ୍ରଦୀପ ରାଜହଂସ ବିଭିନ୍ନ ପ୍ରତିଯୋଗିତାର ସୂଚନା ଦେଇଥିଲେ । ସମସ୍ତ ଗୁରୁଜୀ, ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।