jayashree

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

  • ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ । ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ । ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱାରୋପ କରାଯିବ । ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରିପାରିବେ । ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ । ଏହି ଯୋଜନାରେ ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଶୌଚାଳୟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ । ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ । ବୈଠକରେ ଐତିହ୍ୟ ବିଦ୍ୟାଳୟ ଗୁଡିକର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଯୋଜନାରେ ରାଜ୍ୟର ୧୦୦ ବର୍ଷରୁ ଅଧିକ ପୁରାତନ ବିଦ୍ୟାଳୟ କିମ୍ବା ସ୍ୱାଧୀନତା ପୂର୍ବ ସମୟର ପୁରାତନ ବିଦ୍ୟାଳୟ ଗୁଡିକର ବିକାଶ କରାଯାଇ ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ । ଏହି ଯୋଜନାରେ ସମୁଦାୟ ୪୫ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ । ବିଦ୍ୟାଳୟରେ ଶିକ୍ଷକତା କରିଥିବା କିମ୍ବା ଶିକ୍ଷା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଅବଦାନକୁ ମଧ୍ୟ ସ୍ମରଣୀୟ କରାଯିବ । ବୈଠକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ଉନ୍ନତିକରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ, ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଯାମିନୀ ଷଡଙ୍ଗୀ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.