ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଡାକ୍ତର ତଥା କବି ଡାକ୍ତର କୃପାସିନ୍ଧୁ ନାୟକଙ୍କ ୮ଟି କବିତା ସଂକଳନକୁ ନେଇ ଗଠିତ କବିତା ସମଗ୍ର ପ୍ରଥମ ଖଣ୍ଡର ଲୋକାର୍ପଣ ଓ ସାହିତ୍ୟ ଚର୍ଚ୍ଚା ସମାରୋହ କଲଚରାଲ୍ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ କାଶୀନାଥ ପାତ୍ରଙ୍କ ଆବାହକତ୍ଵ ଓ ସାହିତ୍ୟ ସମ୍ପାଦକ ଡ. ନଗେନ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ରାଉରକେଲା ସହର ପ୍ରଶାସନର ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଓ ନବପତ୍ରର ସମ୍ପାଦକ ଡ. ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ତଥା ଡାକ୍ତର ନାୟକଙ୍କ ବନ୍ଧୁ ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ ପ୍ରମୁଖ ଯୋଗଦେଇ ପୁସ୍ତକକୁ ଲୋକାର୍ପିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସେବା ମନୋବୃତ୍ତି ଓ ସାହିତ୍ୟ ସର୍ଜନାର ଅପୂର୍ବ ସମନ୍ଵୟ ଡାକ୍ତର ନାୟକ । ଏହି ପୁସ୍ତକଟି ଲୋକାଦୃତ ହେବ ବୋଲି ସେ ଆଶା ପୋଷଣ କରିଥିଲେ । ମୁଖ୍ୟବକ୍ତା ଡ. ମଲ୍ଲିକ ପୁସ୍ତକକୁ ସମୀକ୍ଷା କରି କହିଲେ ଯେ, ଡାକ୍ତର ନାୟକ ଜଣେ ଶଲ୍ୟ ଚିକିତ୍ସକ ସହ ଜଣେ ସଫଳ କବି ଭାବେ ସମଗ୍ର ରାଜ୍ୟରେ ସୁପରିଚିତ । ତାଙ୍କ ଚେତନାର ଉତ୍ତରଣ ତାଙ୍କ କବିତାରେ ବେଶ ସୁସ୍ପଷ୍ଟ । କବିତାର ଅନ୍ତସ୍ୱର ମାର୍ମିକ ଓ ବୋଧଗମ୍ୟ । ଏହାସହ ବାୟାଚଡେଇରେ ସଂସାରର ଦର୍ଶନ, କବିତା କିପରି ମନ୍ତ୍ରସିଦ୍ଧ ପରି ଭାବନା ବାଣ୍ଟିଥାଏ ଓ ଡାକ୍ତର ନାୟକଙ୍କ ୧୯୯୦ ପୂର୍ବ କବିତା ଓ ପରର କବିତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଚାଟାର୍ଜୀ ଅତିଥିଙ୍କ ପରିଚୟ ପ୍ରଦାନ ଓ ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଡାକ୍ତର ନାୟକଙ୍କ କବିତା ସମଗ୍ର ସହ ତାଙ୍କର ଅନ୍ୟାନ୍ୟ ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପୁସ୍ତକର ରଚୟିତା ଡାକ୍ତର ନାୟକ ତାଙ୍କ ଦୀର୍ଘ ଦିନର ଅଭିଜ୍ଞତା ଓ କବିତା ପ୍ରେରଣାର ଉତ୍ସ ତଥା ୧୪ ବର୍ଷ ବୟସରୁ ଏଯାବତ୍ ଲେଖିଥିବା କବିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ବଳରାମ ରାଉଳଙ୍କ ସଂଯୋଜନାରେ କବିତା ସମଗ୍ର ପୁସ୍ତକର କବିତା ଗୁଡିକୁ ରାଜୀବ ପାଣି, ତ୍ରିନାଥ ସିଂ, ଅଙ୍ଗୁରବାଳା ପରିଡ଼ା, ଆର୍ତ୍ତତ୍ରାଣ ମହାପାତ୍ର, ପ୍ରତାପ କୁମାର ପଣ୍ଡା, ଅଶୋକ ପଟ୍ଟନାୟକ, ବବିତା ମହାଳିକ, ବିନତା ମାହାନ୍ତ, ମୀନକେତନ ପଶାୟତ, ଅକ୍ଷୟ ସାମଲ, ବିଚିତ୍ରାନନ୍ଦ ସାହୁ, ତ୍ରିଲୋଚନ ସ୍ୱାଇଁ, ଆଲୋକ ବୋଷ, କ୍ଷୀରୋଦ ବରାଳ, ବିଜୟ ରାୟ ପ୍ରମୁଖ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, କବି, ଶିକ୍ଷାବିତ୍ ଯୋଗଦେଇ ଥିଲେ ।