- ୮୮୫ଟି ପ୍ୟାକ୍ସ / ଲ୍ୟାମ୍ପସ୍ ପାଇଁ ୧୦୨, ୩୯, ୩୩, ୪୦୦/- ଟଙ୍କା ମଞ୍ଜୁର
- ନିର୍ମାଣ ହେବ ୫୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଗୋଦାମଗୃହ ଓ ନିଜସ୍ୱ କାର୍ଯ୍ୟାଳୟ
- ନୂତନ ପ୍ୟାକ୍ସ / ଲ୍ୟାମ୍ପସ୍ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ପାଇଁ ଦେଇପାରିବେ ପ୍ରସ୍ତାବ
ଭୁବନେଶ୍ୱର : ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ଆଦିବାସୀ ବହୁମୁଖୀ କୃଷି ସମବାୟ ସମିତି (ଲ୍ୟାମ୍ପସ୍)ର ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତର ଆଣିବା ପାଇଁ ସମବାୟ ବିଭାଗ ଅର୍ଥ ମଞ୍ଜୁର କରିଛି । ୮୮୫ଟି ପ୍ୟାକ୍ସ / ଲ୍ୟାମ୍ପସ୍ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମୋଟ୍ ୧୦୨ କୋଟି ୩୯ ଲକ୍ଷ ୩୩ ହଜାର ୪ ଶହ ଟଙ୍କା ଯୋଗାଇ ଦିଆଯାଇଛି । ଏହି ଅର୍ଥରେ ୬୪୫ ଗୋଟି ସମିତି ୫୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଗୋଦାମଗୃହ ନିର୍ମାଣ ସହ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ କରିବେ ଏବଂ ୨୪୦ ଗୋଟି ସମିତି ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ କରିବେ । ସୂଚନାଯୋଗ୍ୟ, ଭିତ୍ତିଭୂମି ବିକାଶ ଯୋଜନାରେ ଅନୁଗୁଳ ଜିଲ୍ଲାରେ ୪୪ଟି ପ୍ୟାକ୍ସ / ଲ୍ୟାମ୍ପସ୍ ଉପକୃତ ହେବାକୁ ଥିବା ବେଳେ ବଲାଙ୍ଗିରରେ ୪୬, ବାଲେଶ୍ୱରରେ ୨୧, ବରଗଡରେ ୪୯, ଭଦ୍ରକରେ ୫, ବୌଦ୍ଧରେ ୧୮, କଟକରେ ୬୬, ଦେବଗଡରେ ୧୭, ଢେଙ୍କାନାଳରେ ୮, ଗଜପତିରେ ୧୨, ଗଞ୍ଜାମରେ ୬୫, ଜଗତସିଂହପୁରରେ ୪୪, ଯାଜପୁରରେ ୩୧, ଝାରସୁଗୁଡ଼ାରେ ୨୩, କଳାହାଣ୍ଡିରେ ୩୦, କନ୍ଧମାଳରେ ୨୯, କେନ୍ଦ୍ରାପଡ଼ାରେ ୪୯, କେନ୍ଦୁଝରରେ ୨୬, ଖୋର୍ଦ୍ଧାରେ ୩୮, କୋରାପୁଟରେ ୧୧, ମୟୂରଭଞ୍ଜରେ ୩୦, ନବରଙ୍ଗପୁରରେ ୭, ନୟାଗଡରେ ୨୯, ନୂଆପଡ଼ାରେ ୧୬, ପୁରୀରେ ୬୦, ରାୟଗଡ଼ାରେ ୪, ସମ୍ବଲପୁରରେ ୪୦, ସୁବର୍ଣ୍ଣପୁରରେ ୨୬, ସୁନ୍ଦରଗଡ଼ ଜିଲ୍ଲାରେ ୪୧ଟି ପ୍ୟାକ୍ସ / ଲ୍ୟାମ୍ପସ୍ର ଭିତ୍ତିଭୂମିରେ ବିକାଶ ଆସିବ । ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତା ସହ ନୂତନ ପ୍ୟାକ୍ସ / ଲ୍ୟାମ୍ପସ୍ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ନିମନ୍ତେ ପ୍ରସ୍ତାବ ଦେବାକୁ ସମବାୟ ସମିତି ସମୂହର ଉପ ନିବନ୍ଧକମାନଙ୍କୁ (ଡିଆର୍ସିଏସ୍) କୁହାଯାଇଛି । ସୂଚନାଯୋଗ୍ୟ, ‘ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା’ ଗଠନର ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ୟାକ୍ସ / ଲ୍ୟାମ୍ପସ୍ ଭିତ୍ତିଭୂମିର ବିକାଶ ଦିଗରେ ସରକାରଙ୍କର ଏହା ଏକ ବଳିଷ୍ଠ ପଦକ୍ଷେପ ।