jayashree

କଳାହାଣ୍ଡି ଜିଲ୍ଲା ଗଠନର ୭୫ତମ ବର୍ଷ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହରେ କଳାହାଣ୍ଡି ଜିଲ୍ଲା ଗଠନର ୭୫ତମ ସ୍ଥାପନା ଦିବସ ଉପଲକ୍ଷେ ବିଡିଓ ଧର୍ମରାଜ ମାଝୀଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାର ସ୍ୱର୍ଣ୍ଣିମ ଇତିହାସର ପୃଷ୍ଠଭୂମି ସମ୍ପର୍କିତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଖ୍ରୀଷ୍ଟପୂର୍ବ ୧୫୦୦୦ ବର୍ଷର ପ୍ରାଗ ଇତିହାସ ଗୁଡହାଣ୍ଡି ଶିଳାଲିପିକୁ ପାଥେୟ କରି ବହୁ ନାମ ଓ ବିବିଧ ରାଜବଂଶର ଶାସନରେ ଉତ୍‌ଥାନ ଓ ପତନ ମଧ୍ୟରେ ବିକାଶର ନୂତନ ସୂର୍ଯ୍ୟୋଦୟକୁ ସ୍ପର୍ଶ କରିବାକୁ ସତତ ସଂଗ୍ରାମ ଓ ସଂଘର୍ଷର ପ୍ରଜ୍ୱଳିତ ମଶାଲ ଧରି ଆଗେଇ ଚାଲିଛି ବୋଲି ଆଲୋଚକମାନେ ମତ ରଖିଥିଲେ । ଏକଦା ଏହି ଭୂଖଣ୍ଡ ତୈତଳିକ ଜନପଦ, କମଳ ମଣ୍ଡଳ, ଇନ୍ଦ୍ର ବନ, ଚକ୍ରକୋଟ ମଣ୍ଡଳ ସର୍ବୋପରି କାରୁଣ୍ଡ ନାମରେ ନାମିତ ହୋଇଆସିଛି । ଅନେକ ରାଜବଂଶର ରାଜୁତି ଏହି ମାଟିରେ ଅନେକ ପୃଷ୍ଠା ମଣ୍ଡିତ କରିଥିବା ବେଳେ ଅନ୍ତିମ ଶାସନ ନାଗ ବଂଶର ରାଜାଙ୍କ ହାତରେ ରହିଥିଲା । ଦେଶ ସ୍ୱାଧୀନ ଓ ଗଡଜାତ ମିଶ୍ରଣ ପରେ ୧୯୪୯ ନଭେମ୍ବର ୧ ତାରିଖରେ କଳାହାଣ୍ଡି ଜିଲ୍ଲା ଗଠନ ହୋଇଥିଲା । ଜିଲ୍ଲା ଗଠନର ୭୫ତମ ବର୍ଷ କଳାହାଣ୍ଡିବାସୀଙ୍କ ପାଇଁ ଏକ ସଂଭ୍ରାନ୍ତ ଇତିହାସ ସହ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଏହି ଅବସରରେ ଆୟୋଜିତ ସମାରୋହରେ ନାଟ୍ୟକାର ତୀର୍ଥରାଜ ଦଳପତି, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ସମାଜସେବୀ ପ୍ରକାଶ ଦୁରିଆ, ଅଧ୍ୟାପକ ମାନସ ପଣ୍ଡା, ଲୋକ କବି ରବୀନ୍ଦ୍ର ଖମାରୀ, ଉଆନସୁ ବିଶ୍ଵାଳ, ସତ୍ୟାନନ୍ଦ ପୁଝାରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବିଭିନ୍ନ ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ ଭାଗ ନେଇଥିବା ବେଳେ ସମାରୋହକୁ ସ୍ମରଣୀୟ କରିବା ପାଇଁ ଏକ ସ୍ମରଣିକା ପ୍ରକାଶନ ପାଇଁ ବିଡିଓ ଶ୍ରୀଯୁକ୍ତ ମାଝୀ ପ୍ରସ୍ତାବ ରଖିଥିବାରୁ ସମସ୍ତେ ସାଧୁବାଦ ଜଣାଇଥିଲେ । ସିଦ୍ଧାର୍ଥ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.