ସଦର ମହକୁମାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ମହକୁମାରେ ପାଳିତ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୱାକାଥନ୍ ସହିତ ପଥୋତ୍ସବ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଡେପୁଟି କଲେକ୍ଟର ରାଜେନ୍ଦ୍ର ନାୟକ ମଞ୍ଚରେ ଉପସ୍ଥିତି ଥିଲେ । ବିଭିନ୍ନ ଛାତ୍ରଛାତ୍ରୀ, ମହିଳା, ଅନୁଷ୍ଠାନ ମାନଙ୍କର ବିଶିଷ୍ଠ ବ୍ୟକ୍ତି, ଜିଲ୍ଲାର ଅଧିକାରୀଗଣ ୱାକାଥନରେ ଭାଗ ନେଇଥିଲେ । ଏହି ସଚେତନତା ରାଲି ଚିଲଡ୍ରେନ୍ସ ପାର୍କ ଠାରୁ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ଯାଏଁ ଆସିଥିଲା । ଭୋଟର ସଚେତନତା ତଥା ସଠିକ ମତଦାନର ନାରା ସହ ସମସ୍ତେ ସହର ଭ୍ରମଣ କରିଥିଲେ । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ପଥୋତ୍ସବରେ ଏକ ସଭା ଅନୁଷ୍ଠିତ ହେଇଥିଲା । ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ମତଦାନ ପାଇଁ ସ୍ୱୟଂ ନିଜ ତରଫରୁ ନାମ ପଞ୍ଜିକରଣ କରିବାକୁ ଅନୁରୋଧ କରିଥିଲେ । ସୁସ୍ଥ ନିର୍ବାଚନ ପାଇଁ ସଠିକ ତଥ୍ୟ ଏବଂ ନିର୍ଭୁଲ ଭୋଟର ତାଲିକା ନିତାନ୍ତ ଜରୁରୀ । ତେଣୁ କୌଣସି ଭୁଲକୁ ଏହି ଅଭିଯାନରେ ସଂଶୋଧନ କରିବାକୁ ଆହ୍ୱାନ କରିଥିଲେ । ଏଥିପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଚାରୋଟି ଫର୍ମରେ ଆବେଦନ କରିହେବ । ଫର୍ମ ୬ରେ ଭୋଟର ପଞ୍ଜିକରଣ, ଫର୍ମ ୭ରେ ନାମ ଅପସାରଣ, ଫର୍ମ ୮ରେ ସବିଶେଷ ସଂଶୋଧନ ତଥା ଫର୍ମ ୬ବିରେ ଆଧାର ଭୋଟର ପରିଚୟ କାର୍ଡ ଲିଙ୍କ କରାହେବ ବୋଲି କହିଥିଲେ । ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଆସନ୍ତା ନଭେମ୍ବର ମାସ ୨/୧୦/୧୬/୨୪ ତାରିଖ ବୁଥସ୍ତରୀୟ ଅଧିକାରୀଙ୍କ ନିକଟସ୍ଥ ବୁଥରେ ରହି ଆବେଦନ ଗ୍ରହଣ କରିବ । ଭୋଟର ହେଲ୍ପଲାଇନ ଆପ୍‌ ଜରିଆରେ ମଧ୍ୟ ଘରେ ବସି ଜଣେ ଆବେଦନ କରିପାରିବେ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ନିଶୁକ୍ଲ ୧୯୫୦ରେ କଥା ହୋଇ ସମାଧାନ କରିପାରିବେ । ଏହି ପ୍ରକ୍ରିୟା ଆଜିଠାରୁ ଆସନ୍ତା ୨୮ ନଭେମ୍ବର ଯାଏଁ ଚାଲିବ । କାର୍ଯ୍ୟକ୍ରମ ଶେଷରେ ଝୋଟି, ରଙ୍ଗୋଲି ତଥା ହସ୍ତାକ୍ଷର ଅଭିଯାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଉପଜିଲ୍ଲାପାଳ ଶ୍ରୀ ପଟେଲ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.