ତୁଷୁରା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ରଗବୀ ଫୁଟବଲ ଚାମ୍ପିୟନ୍ସିପ୍-୨୦୨୪ ତୁଷୁରା ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୭ଟି ବ୍ଲକର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ବିଭାଗରେ ବଲାଙ୍ଗିର, ପୁଇଁତଳା, ମୁରିବାହାଲ ଓ ଗୁଡଭେଲା ବ୍ଲକର ଛାତ୍ରମାନେ ଅଂଶ ଗ୍ରହଣ କରିଥିବାବେଳେ ଉକ୍ତ ବର୍ଗର ବାଳିକା ବିଭାଗରେ ମୁରିବାହାଲ, ଗୁଡଭେଲା ଓ ଟିଟିଲାଗଡର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ବାଳକ ବିଭାଗରେ ପୁଇଁତଳା ବିଜେତା ଦଳ, ମୁରିବାହାଲ ରନର୍ସଅପ୍ ଓ ଗୁଡଭେଲା ତୃତୀୟ ସ୍ଥାନ ଅଧିକାର କରିଥିଲା । ଠିକ୍ ସେହିଭଳି ବାଳିକା ବିଭାଗରେ ଟିଟିଲାଗଡ ବିଜେତା ହେଇଥିବାବେଳେ ମୁରିବାହାଲ ରନର୍ସଅପ୍ ଓ ଗୁଡଭେଲା ତୃତୀୟ ସ୍ଥାନ ଅଧିକାର କରିଥିଲା । ଏହି ଅବସରରେ ଗୁଡଭେଲା ବିଇଓ ରୁଷିଆ ମେହେରଙ୍କ ପୌରହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ କେଶବ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିରର ପୂର୍ବ ଆଇପିଇ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ଦେଓଗାଁ ବିଇଓ ମମତା ମାହାଡିକ, ବେଲପଡା ବିଇଓ ଅଭିନବ ମିଶ୍ର, ମୁରିବାହାଲ ବିଇଓ ଶାନ୍ତନୁ କୁମାର ପଢିଆରୀ, ଟିଟିଲାଗଡ ବିଇଓ ଆର୍ତ୍ତତ୍ରାଣ ରଥ, ଟିଟିଲାଗଡ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର ପଣ୍ଡା, ଗୁଡଭେଲା ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚିଞ୍ଚେଡ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଗୁଡଭେଲା ବ୍ଲକ ସେକ୍ରେଟାରୀ ବାଳଗୋପାଳ ଖେତି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଡିପିଇଓ ବଲାଙ୍ଗିର ପ୍ରଦୀପ କୁମାର ପାତ୍ର ବିବରଣୀ ପାଠ କରିଥିଲେ ଓ ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାନୁମତୀ ଛତ୍ରିଆ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଗୁଡଭେଲା ବ୍ଲକର ସମସ୍ତ ପିଇଟି, ସିଆର୍ସିସି, ବିଇଓ ଅଫିସ ଷ୍ଟାପ୍ ଓ ତୁଷୁରା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
Next Post