ସଂରକ୍ଷିତ ଗୋଚର ଜମିକୁ ପ୍ରଶାସନ ଅନ୍ୟକୁ ଦେଇ ଦେବାରୁ ଗ୍ରାମବାସୀଙ୍କ ଧାରଣା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ ପଞ୍ଚାୟତ ଧରମପୁର ଗାଁର ବଞ୍ଜାରୀ ଖେଳପଡ଼ିଆକୁ ପ୍ରଶାସନ ଅନ୍ୟକୁ ଟେକିଦେବାରୁ ଗ୍ରାମବାସୀ ବିରୋଧ କରି ସୋମବାର ଧାରଣାରେ ବସିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିବୁ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିଲେ । ସେଠାରେ ପୋଲିସ ହାଉସିଂ ବୋର୍ଡ ତରଫରୁ ଟ୍ରକ୍ ଟର୍ମିନାଲ ନିର୍ମାଣ କରାଯାଉଛି । ହେଲେ କୌଣସି ନାମଫଳକ ନଥିବାରୁ ଜଣାପଡୁ ନାହିଁ । ସୂଚନାନୁଯାୟୀ ଧରମପୁର ଗାଁ ବଞ୍ଜାରୀ ମନ୍ଦିର ପ୍ରାଙ୍ଗଣରେ ୩୫୩ ନଂ. ଜାତୀୟ ରାଜପଥ କଡରେ ଖେଳପଡିଆ କରି ଦୀର୍ଘ ବର୍ଷରୁ ଗାଁ ଓ  ସ୍କୁଲ ପିଲା ଖେଳକୁଦ କରି ଆସୁଥିଲେ । ଧରମପୁର ଗାଁର ସଂରକ୍ଷିତ ଗୋଚର ଜମି ଖାତା ନଂ.୨୫୩, ପ୍ଲଟ୍ ନଂ. ୬୫୨ରେ ମୋଟ ୧୪ ଏକର ୮୩ ଡେସିମିଲ ରହିଛି । ସେଥିରୁ କିଛି ଅଂଶ ଖେଳପଡିଆ ଓ ଅବଶିଷ୍ଟ ଜମିରେ ଗ୍ରାମବାସୀ ପଳାଶ  ଓ ନିମ୍ବ ଗଛ ଲଗାଇ ଗୋରୁ, ଛେଳିମେଣ୍ଡା ଚରାଉଥିଲେ । ଗାଁରେ ଗ୍ରାମସଭା ନକରିବା ଗ୍ରାମବାସୀଙ୍କ ଅଜାଣତରେ ଏହି ଜମିକୁ ପ୍ରଶାସନ ଅନ୍ୟକୁ ଟେକି ଦେଇଛନ୍ତି । ଏଥିରୁ ୮ ଏକର ଜମି ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପୋଲିସ ହାଉସିଂ ବୋର୍ଡକୁ ଦେଇଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି । ପୁଣି ଉକ୍ତ ଜମିରୁ ୫ ଶହ ପଳାସ ଓ ୫୦ରୁ ଅଧିକ ନିମ୍ବ ଗଛ କାଟି ଦିଆଯାଇଛି । ଏ ବିଷୟରେ ଗ୍ରାମବାସୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ନୂଆପଡ଼ା, ତହସିଲଦାର କୋମନାଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସୋମବାର ଦିନ ଉକ୍ତ ପଡ଼ିଆରେ ଗ୍ରାମବାସୀ ଧାରଣାରେ ବସିଥିଲେ । ଗାଁରେ ଗୋରୁ, ଛେଳିମେଣ୍ଢା ଚରାଇବା ପାଇ ଜାଗା ନାହିଁ । ହେଲେ ପ୍ରଶାସନ ଗୋଚର ଜମିକୁ ଅନ୍ୟକୁ ଟେକି ଦେଉଛି । ପୂର୍ବପୁରୁଷରୁ ଉକ୍ତ ଜମିରେ ଗଛ ଲଗାଇ ଗୋରୁ ଚରାଇ ଆସୁଛୁ ଛାଡ଼ିବୁ ନାହିଁ ବୋଲି ମାଧବ ମାଝି, ପ୍ରେମାନନ୍ଦ ମାଝି, ଲିଙ୍ଗରାଜ ଖର୍ସେଲ, ଧରମ ସିଂ ମାଝି, ଖଗେଶ୍ଵର ବନଛୋର, ଧନ ସିଂ ମାଝି, ତରାଚନ ଖର୍ସେଲ ପ୍ରମୁଖ ଓ ଗ୍ରାମବାସୀ ଧାରଣାଦେଇଛନ୍ତି ।

Leave A Reply

Your email address will not be published.