jayashree

ହାଇଟେକ୍‌ ହସ୍ପିଟାଲରେ ଭୁଲ ଚିକିତ୍ସାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ : ଥାନାରେ ଅଭିଯୋଗ କଲେ ଝିଅ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଥାନାର କାର୍ଯ୍ୟରତ ହୋମଗାର୍ଡ ଆର୍‌. ଧନୁ ରେଡ୍ଡୀଙ୍କ ଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ମଞ୍ଚେଶ୍ୱର ଥାନାରେ ହାଇଟେକ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେବାକୁ ଯାଇଥିଲେ ମଧ୍ୟ ଏତଲା ରଖିନଥିଲେ । ବାରମ୍ବାର ହସ୍ପିଟାଲ ଥାନାକୁ ଦୌଡେଇ ଲୁଚକାଳି ଖେଳ ପରେ ବହୁ ବିଳମ୍ବରେ ଏତଲା ରଖିଥିବା ଜଣାପଡିଛି । କାର୍ଯ୍ୟରତ ହୋମଗାର୍ଡ ଧନୁଙ୍କ ଝିଅ ଆର୍‌. ମିନା ରେଡ୍ଡୀ ଥାନାରେ ଲିଖିତ ଅଭିଯୋଗ ଅନୁସାରେ, ତାଙ୍କ ବାପାଙ୍କ ଆଣ୍ଠୁ ଅପରେସନ୍‌ ପାଇଁ ଗତ ୧୮.୧୦.୨୪ ତାରିଖରେ ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ୨୪.୧୦.୨୪ତାରିଖରେ ଅପରେସନ୍‌ କରାଯାଇଥିଲା । ଅପରେସନ୍‌ ପରେ ସେ ସୁସ୍ଥ ଥିବା ସହ କଥାବାର୍ତ୍ତା କରୁଥିଲେ । ଗତକାଲି ରାତି ପ୍ରାୟ ୧୦ଟା ସମୟରର ଏକ୍ସରେ ବାହାର କରାଯିବା ସହ ନିଦ ମେଡ଼ିସିନ ଖାଇବାକୁ ଦିଆଯାଇଥିଲା । ପରେ ରାତି ପ୍ରାୟ ୧୧ଟା ସମୟରେ ବାପାଙ୍କୁ ଇଞ୍ଜେକ୍ସନ୍‌ ଦିଆଯାଇଥିଲେ ମଧ୍ୟ ଆମକୁ ଜଣାଇନଥିଲେ । ରାତି ୩ଟା ସମୟରେ ବାପାଙ୍କୁ ଦେଖିବାକୁ ଗଲାବେଳକୁ ବାପା ନିସ୍ତେଜ ହୋଇ ସୋଇଛନ୍ତି । ଏନେଇ ଡାକ୍ତରଙ୍କୁ ଜଣାଇବାରୁ ମୋତେ ନକହି ବାପାଙ୍କୁ ଆଇସିୟୁରେ ଭର୍ତ୍ତିକରିଥିଲେ । ଆଇସିୟୁରେ ଭର୍ତ୍ତି କରିବାର ୨ ଘଣ୍ଟା ପରେ ଆସି କହିଲେ ବାପା ମରିଯାଇଛନ୍ତି । ଯାହାକୁ ନେଇ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ଏହାର ପ୍ରତିବାଦ କରିବାରୁ ଆମକୁ ନାଲି ଆଖି ଦେଖାଇଥିଲେ ଚିକିତ୍ସା କରୁଥିବା ଡାକ୍ତର ମାନେ । ଏନେଇ ବାପାଙ୍କ ଚିକିତ୍ସାରେ ଅବହେଳା, ନିଦ ବଟିକା ଦେବା ପରେ ଭୁଲ ଇଞ୍ଜେକ୍ସନ୍‌ ଦେବା ଯୋଗୁଁ ବାପାଙ୍କ ମୃତ୍ୟୁ ଘଟିଥିବା, କାରଣ ବାପାଙ୍କର ଆଣ୍ଠୁ ଅପେରସନ୍‌ ହୋଇଥିଲା ମରିବାର କାରଣ କ’ଣ ମୁଁ ବୁଝିପାରୁନାହିଁ । ବାପାଙ୍କ ଶରୀରକୁ ବ୍ୟବଚ୍ଛେଦ ସହ ନ୍ୟାୟ ପାଇଁ ନିକଟସ୍ଥ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ ମଧ୍ୟ ରଖିନଥିଲେ । ପରେ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର ଗଞ୍ଜାମ ଏସ୍‌ପିଙ୍କ ଦୃଷ୍ଟିଆକର୍ଷଣ କରିବାରୁ, ଏସ୍‌.ପି ହସ୍ତକ୍ଷେପ କରିଥିଲେ । ଗଞ୍ଜାମ ଥାନାରୁ ଏସ୍‌ଆଇଙ୍କ ସହ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ହସ୍ପିଟାଲ ଓ ମଞ୍ଚେଶ୍ୱର ଥାନାକୁ ଯିବା ପରେ ବହୁଲୁଚକାଳୀ ଅନ୍ତ ପରେ ବିଳମ୍ବରେ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଏତଲା ରଖିଥିଲେ ମଞ୍ଚେଶ୍ୱର ଥାନା କର୍ତ୍ତୃପକ୍ଷ । ପରେ କେଶ ନଂ ୫୯୪/୨୪ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପଟେ ସନ୍ଧ୍ୟା ସୁଦ୍ଧା ହାଇଟେକ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ଏମ୍‌ସିଏଲ୍‌ ଦେବାକୁ ରାଜିହୋଇନଥିବା ଜଣାପଡିଛି । କ’ଣ ପାଇଁ ମେଡିକାଲ୍‌ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ ପାଇଁ ରାଜିନହେବା, ପୋଲିସ ଏତଲା ରଖିବାକୁ ରୋକଠୋକ ମନାକରିବା ପରେ ବହୁ ବିଳମ୍ବରେ ଏତଲା ରଖିବା, ନେଇ ପରିବାର ଅଭିଯୋଗ ବହୁ ପ୍ରଶ୍ନବାଚି ସୃଷ୍ଟି କରିଛି । ଜଣେ କାର୍ଯ୍ୟରତ ପୋଲିସ କ୍ଷେତ୍ରରେ ଯଦି ଏପରି ଘଟିପାରୁଛି ସାଧାରଣ ଲୋକଙ୍କ କ୍ଷେତ୍ରରେ କଣ ନଘଟୁଥିବ ତାହା ଅନୁମାନ ସାପେକ୍ଷ । ଖବର ଲେଖାହେବା ବେଳକୁ ଉତ୍ତେଜନା ଲାଗିରହିଥିବା ଜଣାପଡିଛି ।

Leave A Reply

Your email address will not be published.